ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ମହାଠକ ସୁକେଶଙ୍କ ବଢ଼ିଲା ଅଡ଼ୁଆ। ୨୦୦ କୋଟି ଟଙ୍କାର ମନିଲଣ୍ଡ୍ରିଂ ମାମଲାରେ ସରକାରୀ ସାକ୍ଷୀ ହେବାକୁ ଇଛା କଲେ ଜ୍ୟାକଲିନ୍। ତେବେ ଶୁକ୍ରବାର ଶୁଣାଣି ସମୟରେ ସେ କହିଛନ୍ତି ଯେ ସେ ଯାଞ୍ଚ ଏଜେନ୍ସୀଙ୍କ ସହିତ ସହଯୋଗ କରିବାକୁ ପ୍ରସ୍ତୁତ। ଏଥି ପାଇଁ ତାଙ୍କୁ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଏକ ଔପଚାରିକ ଆବେଦନ କରିବାକୁ ହେବ ବୋଲି କୋର୍ଟ କହିଛନ୍ତି। ଏହି ମାମଲା ଠକ ସୁକେଶ ଚନ୍ଦ୍ରଶେଖର ସମ୍ପର୍କିତ ଓ ତା ଉପରେ ରାନବ୍ୟାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କ ଠାରୁ ପାଖାପାଖି ୨୦୦ କୋଟି ଟଙ୍କା ଠକେଇର ଅଭିଯୋଗ ରହିଛି। ସେପଟେ ଇଡି ତଦନ୍ତରୁ ଜଣାପଡିଥିଲା ଯେ ସୁକେଶ ଏହି ଠକେଇ ପଇସାରୁ ଜ୍ୟାକଲିନଙ୍କୁ ମହଙ୍ଗା ଉପହାର କିଣି ଦେଇଥିଲେ। ଏହି ଆଧାରରେ ଜ୍ୟାକଲିନଙ୍କୁ ମଧ୍ୟ ମାମଲାରେ ଅଭିଯୁକ୍ତ କରାଯାଇଥିଲା। ଯଦି ମାମଲାରେ ଇଡି ଜ୍ୟାକଲିନ୍ ଙ୍କ ଆବେଦନ ଗ୍ରହଣ କରେ ତେବେ ସେ ସରକାରୀ ସାକ୍ଷୀ ହୋଇ ପାରିବେ ଓ ଆଇନତଃ ତାଙ୍କୁ ମାମଲାରୁ ଆଶ୍ୱସ୍ତି ମିଳିବ। ତଦନ୍ତ ରିପୋର୍ଟ ଅନୁସାରେ ସୁକେଶ ଜ୍ୟାକଲିନଙ୍କ ପାଇଁ ଉପହାର ବାବଦେ ପାଖାପାଖି ୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏଥିରେ ଜ୍ୟାକଲିନଙ୍କୁ ସୁକେଶ ଲଗଜରୀ ବ୍ୟାଗ୍, ହୀରା ଗହଣା, ଘୋଡ଼ା ଓ ୪ଟି ପର୍ସିଆନ ବିଲେଇ କିଣି ଦେଇଥିଲା। ଏହା ଛଡା ବାହାରୀନରେ ରହୁଥିବା ଜ୍ୟାକଲିନଙ୍କ ଅଭିଭାବକଙ୍କୁ ସୁକେଶ ୧.୮୯ କୋଟି ଟଙ୍କାର ପୋର୍ସ ଓ ମସେରାଟୀ କାର ଉପହାର ଦେଇଥିଲା।
