ନୀରଜ ଚୋପ୍ରା ଯେତେବେଳେ ଗୋଲ୍ଡ ଜିତିଲେ ସେତେବେଳେ କମେଣ୍ଟ୍ରି ଛାଡି ଖୁସିରେ ନାଚିବାକୁ ଲାଗିଲେ ସୁନୀଲ ଗାଭାସ୍କର

sunil gavaskar

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାରତର ଗଲ୍ଡେନ ବୟ ନୀରଜ ଚୋପ୍ରା ଦୀର୍ଘ ୧୦୦ ବର୍ଷ ପରେ ଭାରତ ପାଇଁ ଗୋଲ୍ଡ ଜିତିଛନ୍ତି । ଏ ସବୁ ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଲା ଟୋକିଓ ଅଲିମ୍ପିକ୍ସରେ ନୀରଜ ଗୋଲ୍ଡ ଜିତିବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଖେଳାଳି ସୁନୀଲ ଗାଭାସ୍କର ନିଜର କମେଣ୍ଟ୍ରି ଛାଡି ଆନନ୍ଦରେ ଗୀତ ଗାଇ ନାଚିିବାରେ ଲାଗିଥିଲେ । ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଏବଂ ଟ୍ରାକ ଏବଂ ଫିଲ୍ଡ ଅନୁଶାସନରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି । ନୀରଜ ତାଙ୍କ ଦ୍ୱିତୀୟ ଥ୍ରୋରେ ୮୭.୫୮ ମିଟରର ଫିଙ୍ଗି ଏହି କୃତିତ୍ୱ ଅର୍ଜନ କରିଛନ୍ତି ।

ଅପରିପକ୍ଷେ ଏହି ଐତିହାସିକ ବିଜୟକୁ ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ଭାରତୀୟ ପ୍ରସାରଣ ପ୍ୟାନେଲ ସମେତ ସମଗ୍ର ବିଶ୍ୱରେ ଭାରତୀୟମାନେ ପାଳନ କରିଥିଲେ । ଏହା ସହ ନୀରଜ ଚୋପ୍ରାଙ୍କ ଏପରି ସଫଳତା ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ । ଅନ୍ୟପଟେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମନୋଜ କୁମାରଙ୍କ ଅଭିନୀତ ତଥା ସ୍ୱର୍ଗତ ମହେନ୍ଦ୍ର କପୁରଙ୍କ ଦ୍ୱାରା ଗାଇଥିବା ୧୯୬୭ ମସିହାର ଶ୍ରେଷ୍ଠ ଚଳଚ୍ଚିତ୍ର ‘ଉପକାର’ର ଏକ ଦେଶଭକ୍ତ ଗୀତ ମେ’ରେ ଦେଶ କୀ ଧର୍ତି ଗୀତକୁ ଗାଇବା ସହ ନାଚିଥିଲେ । କେବଳ ଏତିକି ନୁହେଁ ବରଂ ଯେତେବେଳେ ଗାଭାସ୍କର ଚୋପ୍ରାଙ୍କୁ ପ୍ରଶଂସା କରିବାରେ ନିଜକୁ ଅଟକାଇ ପାରିନଥିଲେ, ସେତେବେଳେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଅଜୟ ଜାଡେଜା ଏବଂ ଦ୍ରୁତ ବୋଲର ଆଶିଷ ନେହେରା ମଧ୍ୟ ଏହି ମୁହର୍ତ୍ତର ମଜା ଉଠାଇଥିଲେ ।

ଚୋପ୍ରାଙ୍କ ସ୍ୱର୍ଣ୍ଣ ପଦକ ମିଶି ଭାରତ ପାଇଁ ଚଳିତ ଅଲିମ୍ପିକ୍ସରେ ଏହା ସପ୍ତମ ପଦକ ଥିଲା । ଯାହା ଦେଶର ସର୍ବଶ୍ରେଷ୍ଠ ପଦକ ଅଟେ । ୨୦୧୨ ମସିହାରେ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ଜିତିଥିବା ୬ ଟି ପଦକକୁ ଅତିକ୍ରମ କରି ଚୋପ୍ରା ଅଲିମ୍ପିକ୍ସରେ ଭାରତ ପାଇଁ ଏକ ଅଦ୍ଭୁତପୂର୍ବ ଦିନ ଆଣିଥିଲେ । ଯେଉଁଥିରେ ଭାରତ ଦୀର୍ଘ ୧୦୦ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଅନ୍ୟପଟେ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। ତାଙ୍କ ସହ ଭାରୋତ୍ତୋଳନକାରୀ ମିରାବାଇ ଚାନୁ, ସଟଲର ପିଭି ସିନ୍ଧୁ, ରେସଲର ରବି ଡାହିଆ, ବକ୍ସର ଲୋଭଲିନା ବୋର୍ଗୋହେନଙ୍କ ଭଳି ଶ୍ରେଷ୍ଠ ଖେଳାଳି ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ପଦକ ଜିତିଥିଲେ ।

Related Posts