ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମମତାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଭୋଟ୍ ଗଣତିକୁ ନେଇ ମମତାଙ୍କ ଦାବିକୁ କୋର୍ଟ୍ ଯୁକ୍ତି ସମ୍ମତ ନୁହେଁ ବୋଲି କହିଛନ୍ତି । ତେବେ ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ କର୍ମଚାରୀ ନିୟୋଜିତ ହେବେ । ହେଲେ ଏହାକୁ ବିରୋଧ କରିଥିଲେ ମମତା । କେନ୍ଦ୍ର ସରକାରଙ୍କ କର୍ମଚାରୀ ମତଗଣନା ବେଳେ ଉପସ୍ଥିତ ରହିବା ଅନୁଚିତ ବୋଲି ମମତା ଦାବି କରିଥିଲେ । ପ୍ରଥମେ ମାମଲାକୁ ନେଇ ସେ ହାଇକୋର୍ଟ ଯାଇଥିଲେ ।
ହେଲେ କୋଲକାତା ହାଇକୋର୍ଟ ମମତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । କୋଲକାତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ମମତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ଭୋଟ୍ ଗଣତିରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିଯୁକ୍ତି ନିୟମର ଉଲ୍ଲଙ୍ଘନ ନୁହେଁ ବୋଲି କହିଛନ୍ତି । ଏହାସହ ଘଟଣାକୁ ନେଇ ନୂଆ ଆବେଦନର ଆବଶ୍ୟକତା ନଥିବା ଖଣ୍ଡପୀଠ ପ୍ରକାଶ କରିଛନ୍ତି । ସେପଟେ ଶୁଣାଣି ବେଳେ ଟିଏମସି ପକ୍ଷରୁ ଆଇନଜୀବୀ କପିଲ ଶିବ୍ବଲ ଗଣତି ବେଳେ ପ୍ରତି ଟେବୁଲରେ ଅତି କମରେ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ ରହିବାକୁ ନିବେଦନ କରିଥିଲେ । ଏହାପୂର୍ବରୁ ଟିଏମସି ପକ୍ଷରୁ ଆଇନଜୀବୀ କପିଲ ଶିବ୍ବଲ ନିର୍ବାଚନ ଆୟୋଗଙ୍କ ଭୁମିକାକୁ ପ୍ରଶ୍ନ କରିଥିଲେ ।
ଇସିଙ୍କଠୁ କୌଣସି ନ୍ୟାୟ ମିଳିପାରିବ ନାହିଁ ବୋଲି ସେ କୋର୍ଟରେ ଦର୍ଶାଇଥିଲେ । ଯେତେବେଳେ ସମସ୍ତ ଟେବୁଲରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ନିଯୁକ୍ତିକୁ ନେଇ କପିଲ ପ୍ରଶ୍ନ କରିଥିଲେ ସେତେବେଳେ କୋର୍ଟ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ପ୍ରାବଧାନକୁ ନେଇ ଏଥିରେ କୌଣସି ଅସୁବିଧା ନଥିବା କହିଥିଲେ । କାରଣ ନିୟମରେ ଉଭୟ କେନ୍ଦ୍ର ଏବଂ ରାଜ୍ୟର କର୍ମଚାରୀ ନିଯୁକ୍ତ ହେବା ନେଇ ପ୍ରାବଧାନ ରହିଛି ।
