ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାମାଜିକ କର୍ମୀ ତୀସ୍ତା ସିତଲୱାଡ଼ଙ୍କୁ ଜାମିନ ମିଳିଛି। ଗୁଜରାଟ ଦଙ୍ଗା ସମ୍ପର୍କିତ ରାୟ ଆସିବା ପରେ ତୀସ୍ତା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ତୀସ୍ତାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। ଗତ ଜୁନ୍ ମାସରେ ତୀସ୍ତାଙ୍କୁ ଗୁଜରାଟ ପୁଲିସ ଗିରଫ କରଥିଲା। ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ କେତେକ ନିରୀହ ଲୋକଙ୍କୁ ଫସାଇବା ମାମଲାରେ ତାଙ୍କ ବିରୋଧରେ ଗୁଜରାଟ ଏସଆଇଟି ଏବେ ତଦନ୍ତ କରୁଛି ।

ଏହି ମାମଲାରେ ତୀସ୍ତା ସିତଲୱାଡ଼ ଓ ପୂର୍ବତନ ପୁଲିସ ଅଧିକାରୀ ଆର.କେ.ଶ୍ରୀକୁମାରଙ୍କ ଗିରଫ କରାଯାଇଥିଲା ।ଏହା ସହିତ ଆଇପିଏସ ଅଧିକାରୀ ସଂଜୀବ ଭଟ୍ଟଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ୨୦୦୨ରେ ଗୁଜରାଟରେ ବଡ଼ ଧରଣର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଦଙ୍ଗା ସମୟରେ ଅହମଦାବାଦର ଗୁଲ୍‌ବର୍ଗା ସୋସାଇଟିରେ ଏହସାନ ଜାଫ୍‌ରିଙ୍କ ସ‌ମେତ ୬୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୦୬ରେ ଜାକିଆ ଜାଫ୍‌ରି ଏନେଇ ମାମଲା ରୁଜୁ କରିଥିଲେ। ଏହା ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି ସେ ଦାବି କରିଥିଲେ। ୨୦୧୧ରେ ଏହି ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ‌ହୋଇଥିଲା।

୨୦୧୨ ‌ଫେବ୍ରୁଆରିରେ ଏସ୍‌ଆଇଟି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା। ଏସଆଇଟି ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଲିନଚିଟ୍ ଦେଇଥିଲା। କଂଗ୍ରେସ ନେତା ଏହସାନ ଜାଫରିଙ୍କ ପତ୍ନୀ ଜାକିଆ ଜାଫରି ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା କ୍ଲିନଚିଟ୍‌କୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଥିବା ତତକାଳୀନ ଗୁଜରାଟ ସରକାରକୁ ଅସ୍ଥିର କରିବାକୁ କଂଗ୍ରେସ ନେତା ଅହମଦ ପଟେଲଙ୍କ ପ୍ରରୋଚନାରେ ନକଲି କାଗଜପତ୍ର ଓ ତଥ୍ୟ ପ୍ରମାଣ ତିଆରି କରି ନିରୀହ ଲୋକମାନଙ୍କୁ ଦଙ୍ଗାକାରୀଭାବେ ପ୍ରମାଣ କରିବାକୁ ଉଦ୍ୟମ କରାଯାଇଥିବା ଏସଆଇଟି କହିଛି। ଏହି କାର୍ଯ୍ୟପାଇଁ ତୀସ୍ତା କଂଗ୍ରେସ ନେତା ଅହମଦ ପଟେଲଙ୍କଠାରୁ ୩୦ ଲକ୍ଷ ନେଇଥିବା ଏସଆଇଟି ଅଭିଯୋଗ କରିଥିଲା।