ଆନ୍ନା ହଜାରେ ଜଣେ ସମାଜସେବୀ ନୁହଁନ୍ତି, ସେ ଜଣେ ସମାଜ ଦ୍ରୋହୀ ଓ ଅସାଧୁ ବ୍ୟକ୍ତି : କଂଗ୍ରେସ ନେତା ଉଦିତ ରାଜ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଅବକାରୀ ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖି ଦୀର୍ଘଦିନ ପରେ ପୁଣି ଚର୍ଚ୍ଚାରେ ସାମାଜିକ କର୍ମୀ ଆନ୍ନା ହଜାରେ। ତେବେ ନିଜର ଦୁର୍ନୀତି ବିରୋଧୀ ଅନଶନ ପାଇଁ ପରିଚିତ ଆନ୍ନା ହଜାରେଙ୍କୁ ପୂର୍ବତନ କଂଗ୍ରେସ ସାଂସଦ ଉଦିତ ରାଜ ଟାର୍ଗେଟ କରିଛନ୍ତି। ଆନ୍ନା ହଜାରେଙ୍କୁ ସମାଜ ଦ୍ରୋହୀ ଓ ମହାଧୃତ ବୋଲି କହିଛନ୍ତି ଉଦିତ। ଉଦିତ ରାଜ ନିଜର ଟ୍ୱିଟରରେ ଆନ୍ନାଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେ, “ଆନ୍ନା ହଜାରେ ଜଣେ ସମାଜସେବୀ ନୁହଁନ୍ତି ବରଂ ସେ ଜଣେ ସମାଜ ଦ୍ରୋହୀ ଓ ଅସାଧୁ ବ୍ୟକ୍ତି।” ଅନ୍ୟ ଏକ ଟ୍ୱିଟ୍ ରେ ଉଦିତ ରାଜ କହିଛନ୍ତି ଯେ, ଆନ୍ନା ହଜାରେ ଜଣେ ମହାଧୃତ ବ୍ୟକ୍ତି। ଆନ୍ନା ପୂର୍ବରୁ ଉଠାଇଥିବା ଦୁର୍ନୀତି ଅଭିଯୋଗ ସବୁ କଣ ହେଲା? ଲୋକପାଳ ସହିତ କ’ଣ ହେଲା? ବୋଲି ସେ ପ୍ରଶ୍ନ କରିଛନ୍ତି। ଆନ୍ନା ହଜାରେ ବିଜେପିର ନିର୍ଦ୍ଦେଶରେ ୟୁପିଏ ସରକାର ଉପରେ ୨ଜି ସ୍ପେକ୍ଟ୍ରମ୍ ଓ କୋଇଲା ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ ଯାହା ଭୁଲ ବୋଲି ପ୍ରମାଣିତ ହୋଇଛି। ଏହି ଅସାଧୁ ବ୍ୟକ୍ତି ଦେଶକୁ କ୍ଷମା ମାଗିବା ଉଚିତ୍ ବୋଲି ଉଦିତ କହିଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ଆନ୍ନା ହଜାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖି ତାଙ୍କ ଅବକାରୀ ନୀତିକୁ ସମାଲୋଚନା କରିଥିଲେ ଓ ଦିଲ୍ଲୀରେ ମଦ ଦୋକାନ ବନ୍ଦ କରିବାକୁ ନିବେଦନ କରିଥିଲେ। ତେବେ ଆନ୍ନା ୟୁପିଏ-୨ ସରକାର ସମୟରେ ଅନେକ ଦୁର୍ନୀତି ମାମଲା ସାମ୍ନାକୁ ଆଣି ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ ଆନ୍ନା ହଜାରେଙ୍କ ନେତୃତ୍ୱରେ ଦିଲ୍ଲୀର ରାମଲୀଳା ମୈଦାନ ଓ ଜନ୍ତର ମନ୍ତର ଠାରେ ୟୁପିଏ ସରକାର ବିରୋଧରେ ବଡ ଆନ୍ଦୋଳନ ହୋଇଥିଲା।

Related Posts