ମୌସୁମୀ ଅଧିବେଶନ ପୂର୍ବରୁ କଂଗ୍ରେସରେ ସର୍ଜରୀ : ଲୋକସଭାରେ କଂଗ୍ରେସ ଦଳର ନେତା ପଦରୁ ହଟିପାରନ୍ତି ଅଧୀର ରଂଜନ ଚୌଧୁରୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଲୋକସଭାରେ କଂଗ୍ରେସର ନେତା ପଦରୁ ଖୁବଶୀଘ୍ର ହଟିପାରନ୍ତି ଅଧୀର ରଂଜନ ଚୌଧୁରୀ। ଏ ସମ୍ପର୍କରେ କିଛି ଦିନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅଧୀର ରଂଜନ ଚୌଧୁରୀଙ୍କୁ ହଟାଇବା ପଛର କାରଣ ହେଉଛି ମୌସୁମୀ ଅଧିବେଶନ ଟିଏମସି ସହ ମିଶି କଂଗ୍ରେସ ପାର୍ଟି ଗୃହରେ ବିଜେପି ସରକାର ବିରୋଧରେ ମୋର୍ଚ୍ଚା ଖୋଲିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। 

ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଆଉ ବେଙ୍ଗଲ କଂଗ୍ରେସର ମୁଖ୍ୟ ହେଉଛନ୍ତି ଅଧୀର ରଂଜନ ଚୌଧୁରୀ। ସୂଚନା ମୁତାବକ ଲୋକସଭାରେ କଂଗ୍ରେସର ନେତା ହେବା ପଛରେ ରାହୁଲ ଗାନ୍ଧୀ ଦାବିଦାର ନୁହଁନ୍ତି।

ବେଙ୍ଗଲ ନିର୍ବାଚନ ପରେ ନେତାମାନଙ୍କୁ ସମାଲୋଚନା କରିବା 

 କଂଗ୍ରେସର ଶୀର୍ଷ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା 23 ନେତା ତଥା ଜି-23 ନାମରେ ପରିଚିତ ନେତାଙ୍କୁ ସମାଲୋଚନା କରିଥିବା ନେତାଙ୍କ ମଧ୍ୟରେ ଅଧୀର ରଂଜନ ଚୌଧୁରୀ ସବୁଠାରୁ ଆଗରେ ଥିଲେ। ବେଙ୍ଗଲ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଗୋଟିଏ ବି ଆସନରେ ବିଜୟୀ ହୋଇ ପାରିଲା ନାହିଁ। ଏହା ପରେ ଅଧିର ରଂଜନ ଚୌଧୁରୀ କହିଥିଲେ ଯେ ,”ନେତା ମାନଙ୍କୁ ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ବରଦାସ୍ତ କରାଯିବ ନାହିଁ। ଏବେ ସେମାନଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡିବ। କାରଣ ସୋନିଆଜୀ କହିଛନ୍ତି ଯେ, କୋଭିଡ ପୀଡିତଙ୍କୁ ସାହାଯ୍ୟ କରିବାକୁ ପଡିବ।” 

 ଆଧୀର ରଂଜନ ଚୌଧୁରୀଙ୍କୁ ହଟାଇବାର କାରଣ :- 

 ସୂଚନାନୁସାରେ, ଟିଏମସି ସହିତ କଂଗ୍ରେସ ବର୍ତ୍ତମାନ ନିକଟତର ହେବାକୁ ଚାହୁଁଛି। ଏହା ରଣନୀତିରେ ଅଧୀର ରଂଜନଙ୍କୁ ଲୋକସଭାରେ କଂଗ୍ରେସ ନେତା ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥାଇପାରେ। କଂଗ୍ରେସ ଚାହୁଁଛି ଯେ ମୌସୁମୀ ଅଧିବେଶନରେ ମୋଦୀ ସରକାରଙ୍କ ବିରୋଧରେ ଟିଏମସି କଂଗ୍ରେସ ଏକାଠି ଲଢେଇ କରନ୍ତୁ।

 ବେଙ୍ଗଲ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ କଂଗ୍ରେସ ମମତା ବାନାର୍ଜୀଙ୍କ ଉପରେ ସିଧାସଳଖ କଟୁ ଆଲୋଚନା କରିଥିଲା ଏବଂ ସରକାରକୁ ଫେରିବା ପରେ ଟିଏମସିକୁ ସ୍ୱାଗତ ମଧ୍ୟ କରିଥିଲା। ଅନ୍ୟପକ୍ଷରେ, ମମତା ବାନାର୍ଜୀ ଏବଂ ବଙ୍ଗଳା ସରକାରଙ୍କ ସହ ଅଧିର ରଂଜନ ଚୌଧୁରୀଙ୍କ ସମ୍ପର୍କ ତିକ୍ତ ହୋଇ ରହିଛି। କଂଗ୍ରେସ ଚାହୁଁଛି ଯେ ମୌସୁମୀ ଅଧିବେଶନରେ ଟିଏମସି ସହିତ ମିଶି ମୋଦୀ ସରକାରଙ୍କୁ ଟାର୍ଗେଟ କରାଯାଉ। ଏପଟେ ଟିଏମସି ଚାହୁଁଛି ଯେ ସଂସଦରେ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ହଟାଇବା ପ୍ରସଙ୍ଗକୁ ଉଠାଇବାକୁ ଚାହୁଁଛି।  କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳକୁ ସାଙ୍ଗରେ ନେଇ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରେ ଧନଖଡଙ୍କୁ ପ୍ରତ୍ୟାହାର କରିବା ପାଇଁ ଟିଏମସି ଦାବି ଉଠାଇ ପାରେ। 

   ଏବେ ସବୁଠୁ ବଡ ପ୍ରଶ୍ନ ହେଉଛି ଯଦି ସୋନିଆ ଗାନ୍ଧୀ ଲୋକସଭାରେ ଦଳର ନେତା ପଦରୁ ଅଧୀର ରଂଜନଙ୍କୁ ହଟାନ୍ତି, ତେବେ ତାଙ୍କ ସ୍ଥାନରେ କାହାକୁ ଏହି ପଦବୀ ଦାୟିତ୍ବ ଦିଆଯିବ ?  ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଥିରୁବନନ୍ତପୁରମ୍ ସାଂସଦ ଶଶି ଥରୁର, ଆନନ୍ଦପୁର ସାହେବ ସାଂସଦ ମନୀଷ ତେୱାରୀଙ୍କ ନାମ ଏହି ପଦବୀ ପାଇଁ ଚର୍ଚ୍ଚାରେ ରହିଛି। ତେବେ କଂଗ୍ରେସର ଶୀର୍ଷ ନେତୃତ୍ୱକୁ ଚିଠି ଲେଖିଥିବା 23 ଜଣଙ୍କ ମଧ୍ୟରେ ଏହି ୨ ନେତା ମଧ୍ୟ ଥିଲେ।  ରାହୁଲ ଗାନ୍ଧୀ କିନ୍ତୁ ସଂସଦରେ ନେତୃତ୍ୱ ନେବାକୁ ଚାହୁଁଛନ୍ତି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।  ତେବେ କୁହାଯାଉଛି ଯେ ସେ ଏହି ପଦବୀ ରେସ୍ ରେ ନାହାନ୍ତି। 

Related Posts