ଋଷଭ ପନ୍ତଙ୍କ ଆରୋଗ୍ୟ କାମନା କରି ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କଲେ ସୂର୍ଯ୍ୟକୁମାର, କୁଳଦୀପ ଓ ୱାଶିଂଟନ

ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ମହାକାଳେଶ୍ବର ମନ୍ଦିରରେ ଭାରତୀୟ କ୍ରିକେଟରଙ୍କ ପୂଜାର୍ଚ୍ଚନା । ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଭାରତୀୟ ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ମଧ୍ୟପ୍ରଦେଶ ଉଜ୍ଜୈନସ୍ଥିତ ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସାଥୀ ଖେଳାଳି ।ସୂର୍ଯ୍ୟକୁମାର ଯାଦବ, କୁଳଦୀପ ଯାଦବ ଏବଂ ୱାଶିଂଟନ ସୁନ୍ଦର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ।

ସମସ୍ତେ ମଥାରେ ଚନ୍ଦନ ଟିକା ଲଗାଇବା ସହିତ ପାରମ୍ପରିକ ବସ୍ତ୍ର ପରିଧାନ କରିଛନ୍ତି ସୂର୍ଯ୍ୟକୁମାର, କୁଳଦୀପ ଓ ୱାଂଶିଟନ । ପରମ୍ପରା, ରୀତିନୀତି ଅନୁସାରେ ମହାକାଳେଶ୍ବରଙ୍କ ପୂଜା କରିଛନ୍ତି । ଏହା ସହିତ ମହାକାଳଙ୍କ ଭସ୍ମ ଆଳତୀରେ ସାମିଲ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ କହିଛନ୍ତି, “ସାଥୀ ଖେଳାଳି ଋଷବ ପନ୍ତଙ୍କ ଆଶୁ ଆରୋଗ୍ୟ ପାଇଁ ମହାକାଳଙ୍କୁ ପ୍ରାର୍ଥନା କରିଛୁ । ଭାରତୀୟ କ୍ରିକେଟ ଦଳ ପାଇଁ ପନ୍ତଙ୍କ ଜଲଦି ସୁସ୍ଥ ହେବା ନିହାତି ଆବଶ୍ୟକ । ଏହାସହ ଆମେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଦୁଇଟି ମ୍ୟାଚ ଜିତି ସାରିଛୁ । ପରବର୍ତ୍ତୀ ଦିନିକିଆ ଜିତି କ୍ଲିନ ସୁଇପ ଲକ୍ଷ୍ୟ ରଖିଛୁ ।”

ଆସନ୍ତାକାଲି(ମଙ୍ଗଳବାର) ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତିମ ଦିନିକିଆ ଖେଳିବ ଭାରତ । ଇନ୍ଦୋରରେ ଖେଳାଯିବ ମ୍ୟାଚ । ପ୍ରଥମ ଦୁଇ ମ୍ୟାଚ ଜିତି 2-0ରେ ଭାରତ ଆଗୁଆ ସିରିଜ କବଜା କରି ସାରିଛି । ଆସନ୍ତାକାଲି ସିରିଜ ମୂଳପୋଛ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ଦଳ ।

ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଦିନିକିଆ ପୂର୍ବରୁ ଭାରତୀୟ କ୍ରିକେଟ ଦଳ କେରଳର ଥିରୁଅନନ୍ତପୁରମରେ ଥିବା ଶ୍ରୀପଦ୍ମନାଭସ୍ବାମୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ କିଛି ଭାରତୀୟ କ୍ରିକେଟ ଖେଳାଳି । ପାରମ୍ପରିକ ବସ୍ତ୍ର ପରିଧାନ କରି ଶ୍ରୀପଦ୍ମନାଭସ୍ବାମୀଙ୍କୁ ଭାରତୀୟ କ୍ରିକେଟର ଦର୍ଶନ କରିଥିଲେ ।

ପ୍ରକାଶ ଥାଉ କି, ଡିସେମ୍ବର ୩୦ ତାରିଖ ୨୦୨୨ରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ସଡ଼କ ଦୁର୍ଘଟଣା ହୋଇଥିଲା । ପନ୍ତ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଏହାପରେ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତରଣ କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉଛି । ଖୁବଶୀଘ୍ର ତାଙ୍କୁ ଡିସଚାର୍ଜ କରାଯାଇପାରେ ।

Related Posts