ଘୋଷଣା ହେଲା ଆଇସିସି ଟି-୨୦ ଟିମ୍ ଅଫ ଦ ଇୟର ୨୦୨୨: ସାମିଲ୍ ହେଲେ ୩ ଭାରତୀୟ ଖେଳାଳି

ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସୋମବାର ପୁରୁଷ ଟି-୨୦ ଅନ୍ତର୍ଜାତୀୟ ଟିମ୍ ଅଫ ଦ ଇୟର ୨୦୨୨ର ଘୋଷଣା କରିଛି। ଇଂଲଣ୍ଡର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ଦଳର ଅଧିନାୟକ କରାଯାଇଛି। ବଟଲର ଗତ ବର୍ଷ ଇଂଲଣ୍ଡକୁ ଟି-୨୦ ବିଶ୍ଵ କପ୍ ଚାମ୍ପିଅନ କରାଇଥିଲେ। ଏହି ଦଳରେ ବିରାଟ କୋହଲିଙ୍କ ସମେତ ୩ ଭାରତୀୟ ଖେଳାଳୀଙ୍କୁ ସ୍ଥାନ ମିଳିଛି।

ବିରାଟ କୋହଲିଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଅଫ ଦ ଇୟର ୨୦୨୨ ଦଳରେ ସ୍ଥାନ ମିଳିଛି। ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ୨୦୨୨ ସଫଳତମ ବର୍ଷ ଥିଲା। ସେ ୨୦୨୨ରେ ଟି-୨୦ ଅନ୍ତର୍ଜାତୀୟରେ ୧୦୦୦ରୁ ଅଧିକ ରନ କରିବାରେ ଏକ ମାତ୍ର ବ୍ୟାଟର ଥିଲେ। ଏହି ସଫଳତା ଅନ୍ୟ କୌଣସି ଭାରତୀୟ ବ୍ୟାଟର ହାସଲ କରି ପାରିନଥିଲେ।

ଟିମ୍ ଅଫ ଦ ଇୟର ୨୦୨୨ରେ ଇଂଲଣ୍ଡର ତିନି ଖେଳାଳି, ପାକିସ୍ତାନରୁ ଦୁଇ ଖେଳାଳି ସାମିଲ୍ ଥିବା ବେଳେ ଶ୍ରୀଲଙ୍କା, ଜିମ୍ବାଓ୍ଵେ, ଆୟରଲାଣ୍ଡ ଏବଂ ନ୍ୟୁଜିଲାଣ୍ଡରୁ ଜଣେ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି। ଏହି ସବୁ ଖେଳାଳି ଗତ ବର୍ଷ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ।

ଆଇସିସି ଟି-୨୦ ଟିମ୍ ଅଫ ଦ ଇୟର ୨୦୨୨

ଜୋସ୍ ବଟଲର(ଅଧିନାୟକ ଏବଂ ଓ୍ଵିକେଟ୍ କିପର), ମହମ୍ମଦ ରିଜଓ୍ଵାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଗ୍ଲେନ ଫିଲିପ୍ସ, ସିକନ୍ଦର ରାଜା, ହାର୍ଦ୍ଦିକ ପାଣ୍ଡ୍ୟା, ସାମ କୁରନ, ଓ୍ଵାନିନ୍ଦୁ ହସରଙ୍ଗା, ହାରିସ ରାଉଫ, ଜୋସ୍ ଲିଟିଲ୍।

Related Posts