ନୂପୁର ଶର୍ମାଙ୍କୁ ଜୀବନରୁ ମାରିଦେବାକୁ ଭାରତୀୟ ମୁସଲିମ୍‌ଙ୍କୁ ଉସୁକାଇଲା ଆତଙ୍କବାଦୀ ସଂଗଠନ ଅଲକାଏଦା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଥମୁନି ନୂପୁର ଶର୍ମା ବିବାଦ। ଦେଶ ଭିତରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ନୂପୁର ଶର୍ମାଙ୍କୁ ହତ୍ୟା ଧମକ ମିଳୁଥିବା ବେଳେ ଏବେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ନୂପୁରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି। ଏପରିକି ନୂପୁରଙ୍କୁ ହତ୍ୟା କରିବାକୁ ଭାରତୀୟ ମୁସଲିମ୍‌ଙ୍କୁ ଉସୁକାଇବାରେ ଲାଗିଛି ଅଲକାଏଦା।ନିଜ ପ୍ରଚାର ପତ୍ରିକା ‘ନୱାଇ ଗଜୱା-ଏ-ହିନ୍ଦ’ରେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିଷୟରେ ବିଷ ଓଗାରିଛି ଏହି ଆତଙ୍କବାଦ ସଙ୍ଗଠନ । ଏଥିସହ ନୂପୁର ଶର୍ମା ପ୍ରପେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ଯୋଗୁ ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଆହ୍ୱାନ ଦିଆଯାଇଛି।

ଅଲ କାଏଦା ପକ୍ଷରୁ କୁହାଯାଇଛି, ନୂପୁର ଶର୍ମା ମହମ୍ମଦଙ୍କ ନିନ୍ଦା କରିଛନ୍ତି, ତାଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ। ଜିହାଦ ରକ୍ଷା କରିବା ପାଇଁ ନିଜକୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବାକୁ ଅଲ କାଏଦା ମୁସଲମାନମାନଙ୍କୁ ଆହ୍ୱାନ ଦେଇଛି। କଶ୍ମୀରରେ ଜିହାଦ ତୁରନ୍ତ ଆରମ୍ଭ କରିବା ନିମନ୍ତେ ଏହି ପତ୍ରିକା ମାଧ୍ୟମରେ ସନ୍ଦେଶ ଦିଆଯାଇଛି। ଅଲ କାଏଦାର ପତ୍ରିକାରେ ଏଭଳି ବିବୃତ୍ତି ଆସିବା ପରେ ଗୁପ୍ତଚର ସଂସ୍ଥାଗୁଡ଼ିକର ଚିନ୍ତା ବୃଦ୍ଧି ପାଇଛି।

ଏହାପୂର୍ବରୁ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନୂପୁର ଶର୍ମା ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନୁପୁରଙ୍କ ଗିରଫଦାରୀକୁ ମଧ୍ୟ ରୋକିଥିଲେ ସୁପ୍ରିମକୋର୍ଟ। ନୁପୁରଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅଲ କାଏଦା ଆହୁରି ମଧ୍ୟ କହିଛନ୍ତି ଯେ ଆମେ ମହମ୍ମଦଙ୍କ ଅପମାନର ପ୍ରତିଶୋଧ ନେବୁ। ଆମେ ଆମ ଶରୀର ଏବଂ ଆମ ପିଲାମାନଙ୍କ ଶରୀରରେ ବିସ୍ଫୋରକ ଖଞ୍ଜିଦେବୁ, ଯଦ୍ୱାରା ଏପରି ଲୋକଙ୍କୁ ବିସ୍ଫୋରଣରେ ଉଡ଼ାଇ ପାରିବୁ । ମହମ୍ମଦଙ୍କୁ ଅପମାନିତ କରୁଥିବା ବ୍ୟକ୍ତି ନିଜ ଘରେ ଲୁଚାଇ ପାରିବେ ନାହିଁ କିମ୍ବା ସେନା ତାଙ୍କୁ ବଞ୍ଚାଇବାକୁ ସମର୍ଥ ହେବ ନାହିଁ।

ସୂଚନା ଅନୁସାରେ, ଟିଭି ବିତର୍କ ସମୟରେ ଇସଲାମ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ନୂପୁର ଶର୍ମା ସମସ୍ତଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । ତାଙ୍କ ବିବୃତ୍ତି ସମଗ୍ର ବିଶ୍ୱରେ ମୁସଲମାନମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଲ କାଏଦା ପକ୍ଷରୁ କୁହାଯାଇଛି। ନୂପୁର ଶର୍ମାଙ୍କ ନାଁରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଥାନାରେ ମାମଲା ହୋଇଥିବା ବେଳେ ନୂପୁରଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ହତ୍ୟା କରି ଦିଆଯାଉଛି।

Related Posts