ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କିଛି ଦିନ ପରେ ଆରମ୍ଭ ହୋଇଯିବ କ୍ରିକେଟ୍‌ର ମିନି ମହାକୁମ୍ଭ। ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରେ ୧୬ଟି ଦଳକୁ ନେଇ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ।

ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ମୁକାବିଲା ଖେଳିବ ଭାରତ। ଏହା ମଧ୍ୟରେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆସିଛି ବଡ ଖବର।

ଯଦି ଆପଣ କ୍ରିକେଟର ବଡ ପ୍ରଶଂସକ, ତେବେ ଆପଣ ଟି-୨୦ ବିଶ୍ଵ କପ୍‌ର ମଜା ଥିଏଟରରେ ଉଠାଇ ପାରିବେ। ମଲ୍‌ଟିପ୍ଲେକ୍ସ କମ୍ପାନି INOX ଆଇସିସି ସହିତ ଚୁକ୍ତି କରିଛି। ଏହାରି ଆଧାରରେ INOX ନିଜ ଥିଏଟରରେ ବିଶ୍ଵ କପରେ ଭାରତର ସମସ୍ତ ମ୍ୟାଚ୍ ଦେଖାଇବ। ଏହା ବ୍ୟତୀତ ସେମି ଫାଇନାଲ୍ ଏବଂ ଫାଇନାଲ୍ ମୁକାବିଲା ବି ଥିଏଟରରେ ସିଧା ପ୍ରସାରଣ କରାଯିବ।

କମ୍ପାନି ଦ୍ଵାରା ସୂଚିତ କରାଯାଇଛି ଯେ, ଦେଶର ପ୍ରାୟ ୨୫ ସହରରେ ଯେଉଁଠି INOXର ସ୍କ୍ରିନ ରହିଛି, ସେଠାରେ ଟି-୨୦ ବିଶ୍ଵ କପ୍‌ରେ ଭାରତର ସମସ୍ତ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ। ଏମିତିରେ ଯେଉଁ ଦର୍ଶକ ବଡ ସ୍କ୍ରିନରେ ମ୍ୟାଚ୍‌ର ମଜା ଉଠାଇ ପାରିବେ ସେମାନଙ୍କ ପାଇଁ ଏହା ବହୁତ ବଡ ସୁଯୋଗ।

ଟି-୨୦ ବିଶ୍ଵ କପ୍ ୨୦୨୨ରେ ଭାରତ ମ୍ୟାଚ୍

ଭାରତ ବନାମ ପାକିସ୍ତାନ, ଅକ୍ଟୋବର ୨୩, ଅପରାହ୍ନ ୧ଟା ୩୦(ମେଲବୋର୍ଣ୍ଣ)

ଭାରତ ବନାମ ଗ୍ରୁପ ଏ ଉପ ବିଜେତା, ଅକ୍ଟୋବର ୨୭, ଅପରାହ୍ନ ୧୨ଟା ୩୦(ସିଡନୀ)

ଭାରତ ବନାମ ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୩୦, ଅପରାହ୍ନ ୪ଟା ୩୦(ପର୍ଥ)

ଭାରତ ବନାମ ବାଂଲାଦେଶ, ନଭେମ୍ବର ୨, ଅପରାହ୍ନ ୧ଟା ୩୦(ଆଡିଲେଡ୍)

ଭାରତ ବନାମ ଗ୍ରୁପ ବି ବିଜେତା, ନଭେମ୍ବର ୬, ଅପରାହ୍ନ ୧ଟା ୩୦(ମେଲବୋର୍ଣ୍ଣ)

ଟି-୨୦ ବିଶ୍ଵ କପ୍ ଲାଗି ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହ।

ଷ୍ଟାଣ୍ଡବାଇ ଖେଳାଳି– ମହମ୍ମଦ ସିରାଜ, ଶ୍ରେୟସ ଆୟର, ରବି ବିଷ୍ନୋଇ, ଦୀପକ ଚହର