
ଓଡିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ବିସିସିଆଇ ଦେଇଛି ଖୁସିର ଖବର। କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍। କରୋନା ମହାମାରୀ କାରଣରୁ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଓ୍ଵେଷ୍ଟଇଣ୍ଡି ଟି-୨୦ ମ୍ୟାଚ୍ ଖେଳାଯାଇ ପାରିନଥିଲା ମାତ୍ରା କିନ୍ତୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ଆୟୋଜନସ୍ଥଳ ଘୋଷଣା କରିଛି। ଏଥିରୁ ଗୋଟିଏ ମ୍ୟାଚ୍ କଟକର ବାରବାଟୀରେ ଖେଳାଯିବ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ଆଇପିଏଲ ୨୦୨୨ ପରେ ଜୁନରେ ଖେଳାଯିବ। ସମାଚାର ଏଜେନ୍ସି ପିଟିଆଇ ଅନୁସାରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ର ଟି-୨୦ ସିରିଜ୍ ପାଞ୍ଚଟି ସ୍ଥାନରେ ଖେଳାଯିବ। ଟି-୨୦ ସିରିଜ୍ କଟକ, ବିଶାଖାପଟ୍ଟନମ, ଦିଲ୍ଲୀ, ରାଜକୋଟ ଏବଂ ଚେନ୍ନାଇରେ ଖେଳାଯିବ। ମ୍ୟାଚ୍ର ତାରିଖ ଘୋଷଣା ଆଇପିଏଲ ୨୦୨୨ ପରେ କରାଯିବ।
ସୂଚନାଯୋଗ୍ୟ, ବାରବାଟୀରେ ଫେବୃଆରୀ ୧୫ରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ତେବେ କରୋନା ଭାଇରସ୍ର ପ୍ରକୋପକୁ ଦୃଷ୍ଟିରେ ରଖି ବିସିସିଆଇ କ୍ରୀଡାସୂଚୀରେ କାଣ୍ଟଛାଣ୍ଟ କରିଥିଲା। ଦିନିକିଆ ଏବଂ ଟି-୨୦ ସିରିଜ୍ ଦୁଇଟି ସହର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏବଂ ଟି-୨୦ ସିରିଜ୍ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଛି ।