ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୪ ସୁଦ୍ଧା କାର୍ୟ୍ୟକ୍ଷମ ହେବ ତାଳଚେର ସାର କାରଖାନା । ରାଜ୍ୟସଭାରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସ୍ବାସ୍ଥ୍ୟ, ରସାୟନ ଓ ସାରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ ଏହି ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଏହି ପ୍ରକଳ୍ପ ସେପ୍ଟେମ୍ବର ୨୦୨୩ ସୁଦ୍ଧା କାର୍ୟ୍ୟକ୍ଷମ ହେବାର ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ପ୍ରକଳ୍ପ କାର୍ୟ୍ୟରେ ପ୍ରାୟ ୧ ବର୍ଷ ବିଳମ୍ବ ହୋଇଛି । କୋଲ ଗ୍ୟାସିଫିକେସନ ଓ ଆମୋନିଆ-ୟୁରିଆ ପ୍ୟାକେଜ୍ ପାଇଁ ଅନ୍ତର୍ଜାତୀୟ ଠିକା ୨୦୧୯ ସେପ୍ଟେମ୍ବର ମାସରେ ଦିଆଯାଇଥିଲା ।
କିନ୍ତୁ ସେହି ସମୟ ବେଳକୁ ବିଶ୍ବରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା ଓ ୨୦୨୦ ମାର୍ଚ୍ଚ ବେଳକୁ ଏକ ମହାମାରୀରେ ପରିଣତ ହୋଇଥିଲା । ମାର୍ଚ୍ଚ ୨୩, ୨୦୨୦ରେ ଦେଶରେ ଲକଡାଉନ ଘୋଷଣା ହୋଇଥିଲା । ଫଳରେ ପ୍ରକଳ୍ପ କାମ ଅଟକି ଯାଇଥିଲା । କରୋନାର ପ୍ରଥମ ଲହର କମିବା ପରେ ପୁଣି ଥରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା, କିନ୍ତୁ କିଛି କାମ ହେବା ପରେ ପୁଣି ୨ୟ ଓ ୩ୟ ଲହର ଆରମ୍ଭ ହୋଇଥିଲା । ଫଳରେ ଆଉଥରେ ପ୍ରକଳ୍ପ କାମ ଅଟକି ଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶାର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।