ଆଫଗାନିସ୍ତାନର ସମସ୍ତ କ୍ରିକେଟ ଷ୍ଟାଡିୟମକୁ କବଜା କଲା ତାଲିବାନ: ଜାଣନ୍ତୁ କେଉଁଠି ଅଛନ୍ତି ଦେଶର ଖେଳାଳି ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିଛି।  ତାଲିବାନ ଦେଶର ଅନ୍ୟ ପ୍ରଦେଶଗୁଡ଼ିକୁ କବଜା କରିବା ପରେ ରାଜଧାନୀ କାବୁଲକୁ ବି ନିୟନ୍ତ୍ରଣ କରିନେଇଛି। ଏଭଳି ପରିସ୍ଥିତିରେ ଆଫଗାନିସ୍ତାନରେ ଏକ ବଡ଼ ମାନବିକ ସଙ୍କଟ ଦେଖାଦେଇଛି ଏବଂ ଦେଶର ଭବିଷ୍ୟତକୁ ନେଇ ଅନିଶ୍ଚିତତାର କଳା ବାଦଲ ମାଡି ଆସୁଛି। ଏପରି ସ୍ଥିତିରେ ଆଫଗାନିସ୍ତାନରେ କ୍ରୀଡ଼ା କ୍ଷେତ୍ରରେ ଅସୁବିଧା ଉପୁଜିବାର ସମ୍ଭାବନା ଦେଖାଦେଇଛି।

 ତାଲିବାନ କ୍ରିକେଟ୍ ଷ୍ଟାଡିୟମକୁ କାବୁ କରିନେଇଛି

ତାଲିବାନ ଦେଶର ସବୁ କ୍ରିକେଟ ଷ୍ଟାଡିୟମକୁ ନିଜ ଅକ୍ତିଆରକୁ ନେଇଯାଇଛି। ଫଳରେ ଖେଳାଳିଙ୍କ ପାଇଁ ଉପଲବ୍ଧ ହେଉଥିବା ସୁବିଧାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ୟୁଏଇରେ ଟି-୨୦ ବିଶ୍ୱକପ୍‌ ଖେଳାଯିବ, ଯେଉଁଥିପାଇଁ ଆଫଗାନିସ୍ତାନ ଦଳ ଯୋଗ୍ୟତା ଅର୍ଜନ କରିଛି। ତେବେ ତାଲିବାନ କ୍ଷମତାକୁ ଆସିବା ପରେ ଦଳ ବିଶ୍ୱକପ ଖେଳିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଅପରପକ୍ଷେ ତାଲିବାନ କ୍ରୀଡ଼ାକୁ ବିରୋଧ କରେ ବୋଲି କୁହାଯାଉଛି।

ଆଫଗାନିସ୍ତାନ ଖେଳାଳିମାନେ କେଉଁଠାରେ ଅଛନ୍ତି ? 

ତାଲିବାନ ଆଫଗାନିସ୍ତାନକୁ କବ୍ଜା କରିବା ପରେ କ୍ରିକେଟ୍ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଉଠିଛି ଯେ ବର୍ତ୍ତମାନ ଆଫଗାନିସ୍ତାନ କ୍ରିକେଟରମାନେ କେଉଁଠାରେ ଅଛନ୍ତି ?  କେବଳ ତିନିଜଣ ଆଫଗାନିସ୍ତାନ ଖେଳାଳିଙ୍କ ବିଷୟରେ ସ୍ପଷ୍ଟ ସୂଚନା ରହିଛି। ଏହି କ୍ରିକେଟରମାନେ ହେଉଛନ୍ତି ଷ୍ଟାର ସ୍ପିନର ରସିଦ ଖାନ, ଅଲରାଉଣ୍ଡର ମହମ୍ମଦ ନବୀ ଏବଂ ସ୍ପିନର ମୁଜିବ-ଉର-ରହମାନ।  ଦ ହଣ୍ଡ୍ରେଡ୍‌’ ଲିଗ୍‌ରେ ଖେଳୁଛନ୍ତି। ଲିଗ୍‌ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଏଠାରେ ରହିବେ। ସୂଚନାଯୋଗ୍ୟ ଯେ ରସିଦ, ନବୀ ଏବଂ ମୁଜିବ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳନ୍ତି।  ଏହି ତିନିଜଣ ଦୁନିଆର ବିଭିନ୍ନ ଲିଗରେ ଖେଳନ୍ତି, ଯେଉଁଥିପାଇଁ ସେମାନଙ୍କୁ ଦେଶ ବାହାରେ ଅଧିକ ସମୟ ବିତାଇବାକୁ ପଡିଥାଏ ।

ଆଫଗାନ୍ ବନାମ ପାକିସ୍ତାନ ଟି-20 ସିରିଜ୍ 

ଆସନ୍ତା ମାସରୁ ଆଫଗାନିସ୍ତାନ ପାକିସ୍ତାନ ସହ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିଥାନ୍ତା। ପୂର୍ବରୁ ଏହା ୟୁଏଇରେ ଖେଳାଯିବାର ଥିଲା ହେଲେ ଏହାକୁ ଶ୍ରୀଲଙ୍କା ସ୍ଥାନାନ୍ତର କରାଯାଇଥିଲା। ତାଲିବାନ କ୍ଷମତାକୁ ଆସିବା ପରେ ଏହି ସିରିଜ ଉପରେ ମଧ୍ୟ ସଙ୍କଟ ଦେଖାଦେଇଛି।

ସୂଚନା ଥାଉକି , ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସିଇଓ ହମିଦ ସିନ୍‌ଓ୍ବାରୀ କହିଛନ୍ତି, ରାଜନୈତିକ ପରିବର୍ତ୍ତନ ପରେ କ୍ରିକେଟ କ୍ଷତିଗ୍ରସ୍ତ ହେବ ନାହିଁ। କାରଣ ତାଲିବାନ ଏହି ଖେଳକୁ ପସନ୍ଦ କରେ। ଏହାକୁ ସମର୍ଥନ କରେ।

Related Posts