ବିଲ ବାକି ପଡ଼ିଛି କହି ବିନା ନୋଟିସ ଦେଇ ବିଦ୍ୟୁତ କାଟି ଦେଉଛି ଟାଟା ପାୱାର: ସମାଜବାଦୀ ପାର୍ଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟାଟା ପାୱାର ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁସନ ଲିମିଟେଡ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ସମାଜବାଦୀ ପାର୍ଟି । ତେବେ ବକେୟା ବିଲ ଆଦାୟ ନାମରେ ଟାଟା ପାୱାର ମନମାନି କରୁଛି ବୋଲି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିବାର ସୂଚନା ମିଳିଛି । ତାଙ୍କ ଅଭିଯୋଗ କ୍ରମେ, ବିଦ୍ୟୁତ ବିଲ୍ ବାକି ପଡ଼ିଛି କହି ସଂସ୍ଥା ବିନା ନୋଟିସ୍ରେ ସ୍କୁଲ, କଲେଜ, ସରକାରୀ ଦପ୍ତର ଓ ଘରୋଇ ଉପଭୋକ୍ତାମାନଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେଉଛି। ପ୍ରତିବାଦ କଲେ, ଶୁଣିବାକୁ କେହି ନାହାନ୍ତି। ଗଣପର୍ବ ଦୋଳପୂର୍ଣ୍ଣିମା ଓ ହୋଲିରେ ମଧ୍ୟ ସମ୍ପୃକ୍ତ ସଂସ୍ଥା ବିଭିନ୍ନ ଜାଗାରେ ଲାଇନ୍ କାଟି ଦେଇଥିବା ଅଭିଯୋଗ ହୋଇଛି। ଧାନମଣ୍ଡଳ ଗାଁର ଜଣେ ଶିକ୍ଷୟିତ୍ରୀ ବିଧୁସ୍ମିତା ମିଶ୍ରଙ୍କ ଅଭିଯୋଗ ମୁତାବକ, ୧୧ହଜାର ଟଙ୍କା ବାକି ପଡ଼ିଥିଲା। ତୁରନ୍ତ ପୈଠ କରା ନଗଲେ ଲାଇନ୍ କାଟି ଦିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି। ଲାଗିଥିବା ମିଟର ଚାଲୁଥିଲେ ମଧ୍ୟ ତାକୁ ଜବରଦସ୍ତି ବାହାର କରି ଚାଇନା ମିଟର ଲଗାଇ ଦେଇଛନ୍ତି। ଯେଉଁଥିରେ ବିଲ୍ ଅଧିକ ଆସୁଛି।

ଏହିଭଳି ହଜାର ହଜାର ଅଭିଯୋଗ ପ୍ରତିଦିନ ପାର୍ଟି ପାଖରେ ପହଞ୍ଚୁଛି। ସରକାର ଯଦି ଏଥିରେ ହସ୍ତକ୍ଷେପ ନ କରନ୍ତି, ତାହେଲେ ଆଗାମୀ ଦିନରେ ଏହି ଜନଅସନ୍ତୋଷ ଆନ୍ଦୋଳନ ରୂପ ନେବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି। ସେପଟେ ଚଳିତ ମାସର ଶେଷ ସପ୍ତାହ ସୁଦ୍ଧା ଓଇଆରସି ୨୦୨୨- ୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଉପରେ ନିଷ୍ପତ୍ତି ଶୁଣାଇବାର ସମ୍ଭାବନା ରହିଛି। ଯଦି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଏ, ତା’ହେଲେ ଭୟଙ୍କର ପରିସ୍ଥିତି ଉପୁଜିବ। ଆଗାମୀ ବିଧାନସଭା ଅଧବେଶନ ସମୟରେ ବିଜୁଳି ସଂସ୍କାର ଉପରେ ଏକ ସ୍ଵତନ୍ତ୍ର ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts