ଅବସରର ମାତ୍ର ୨୪ ଘଣ୍ଟା ପରେ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିରୋଧ କଲେ ଟାଟା ପାୱାର କର୍ମଚାରୀ ସଂଘ

tata

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଅବସର ପରେ ଅଧିକାରୀଙ୍କ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ନେଇ ଟାଟା ପାୱାର କର୍ମଚାରୀ ସଂଘ ବିରୋଧ କରିବା କଥା ସାମ୍ନାକୁ ଆସିଛି । ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଅବସର ଗ୍ରହଣ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଶ୍ରୀ ଏଚ କେ ସାହୁ ଏକ୍ସ ଡିଜିଏମ ପଦବୀରେ ନିଯୁକ୍ତ ହୋଇଥିଲେ । ଏଇଠି ପ୍ରଶ୍ନ ଉଠୁଛି ଯେ ଶ୍ରୀ ସାହୁ ୩୦.୦୬.୨୦୨୧ତାରିଖରେ ଅବସର ନେଇଥିଲେ । ଏବଂ ମାତ୍ର ୨୪ ଘଣ୍ଟା ପରେ ୧.୦୭.୨୦୨୧ ତାରିଖରେ ଅନ୍ୟ ଏକ ପଦବୀରେ ନିଯୁକ୍ତ କିପରି ହେଲେ ? ତେଣୁ ଅଧିକାରୀ ଜଣଙ୍କର ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ନେଇ ଟାଟା ପାୱାର କର୍ମଚାରୀ ସଂଘ ବିରୋଧ କରୁଥିବାର ସୂଚନା ମିଳିଛି ।

ଅପରିପକ୍ଷେ ଟାଟା ପାୱାର ସାଉଥ ଓଡିଶା ବିତରଣ ଲିମିଟେଡ(TPSODL) ଏପରି ନିଷ୍ପତ୍ତି ନେଇ ଓଡିଶା ସରକାରଙ୍କ ସମେତ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ଅର୍ଡରକୁ ମଧ୍ୟ ଅବମାନନା କରିଛି । ତେବେ ଟାଟା ପାୱାର ସାଉଥ ଓଡିଶା ବିତରଣ ଲିମିଡେଡ ପରି ଏକ ଘରୋଇ ସଂସ୍ଥା ଯଦି ଓଡିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଯାଏ, ତାହାଲେ ଭବିଷ୍ୟତରେ ଟାଟା ପାୱାରର ଶ୍ରମିକ ଓ କର୍ମଚାରୀଙ୍କ ସେବାକୁ କିପରି ରକ୍ଷା କରିପାରିବ ବୋଲି ଟାଟା ପାୱାର କର୍ମଚାରୀ ସଂଘ ପ୍ରଶ୍ନ ଉଠାଇଛନ୍ତି । ଏହା ସହ ସମସ୍ତ କର୍ମଚାରୀ ଟାଟା ପାୱାର ସଂସ୍ଥାକୁ ଯଥାଶୀଘ୍ର ଏକ୍ସ ଡିଜିଏମ ପଦବୀରୁ ଶ୍ରୀ ଏଚ କେ ସାହୁଙ୍କ ଆଦେଶ ପ୍ରତ୍ୟାହାର କରିବାକୁ କହିଛନ୍ତି ।

ଯଦି ଦାବି ମୂତାବକ ଏପରି କିଛି ନ ଘଟେ ତାହାଲେ ସମସ୍ତ କର୍ମଚାରୀ ୟୁନିୟନ କୋର୍ଟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବେ ବୋଲି ଟାଟା ପାୱାର କମ୍ପାନୀକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୫୦ ହଜାର ସରକାରୀ ଅବସରପ୍ରାପ୍ତ ଲୋକମାନେ ନିଯୁକ୍ତି ପାଇଛନ୍ତି । ତେଣୁ ବର୍ତ୍ତମାନ ଠାରୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଯୋଗଦାନ ବନ୍ଦ କରିବାକୁ ନିବେଦନ କରାଯାଇଛି । ଯଦି ଏପରି କିଛି ନ ହୁଏ ତାହାଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କର୍ମଚାରୀ ସଂଘ ନିବେଦନ କରିଛନ୍ତି । ଅପରିପକ୍ଷେ ଏପରି କିଛି ନ ଘଟୁ ବୋଲି ସରକାରଙ୍କ ପକ୍ଷରୁ କୁଲିଂ ପିରିୟଡ ଭଳି ଯୋଜନା ଆରମ୍ଭ କରାଯାଉଥିଲା । ଅର୍ଥାତ ସରକାରୀ କର୍ମଚାରୀମାନେ ଅବସର ଗ୍ରହଣ କରିବା ପରେ ବାଧ୍ୟତାମୂଳକ କୁଲିଂ ପିରିୟଡ ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକ ।

ହେଲେ ଏ ସବୁକୁ ଖାତିର ନ କରି ସରକାରି ବାବୁମାନେ ଅବସର ଗ୍ରହଣ କରିବା ପରେ ସଙ୍ଗେ ସଙ୍ଗେ ଘରୋଇ ସେକ୍ଟରରେ ଭତ୍ତି ହେଉଛନ୍ତି । ଏପରି ବାରମ୍ବାର ହେଉଥିବାର ଦେଖି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ କର୍ମଚାରୀଙ୍କ ଅବସର ପରେ ଚାକିରି ଦେବା ପୂର୍ବରୁ ସମସ୍ତ ସଂସ୍ଥା ବାଧ୍ୟତାମୂଳକ ଭିଜିଲାନ୍ସ ମଞ୍ଜୁରୀ ନେବା ଆବଶ୍ୟକ ବୋଲି ସିଭିସି ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଯଦି ଆମେ ଦେଖିବା ସରକାର କର୍ମଚାରୀମାନେ ଅବସର ପରେ ଘରୋଇ ସଂସ୍ଥାରେ ପୂର୍ଣ୍ଣକାଳୀନ କିମ୍ବା ଚୁକ୍ତିଭିତ୍ତିକ ନିଯୁକ୍ତି ଗ୍ରହଣ କରୁଛନ୍ତି । ଏପରି କରି ସମ୍ପୃକ୍ତ ବ୍ୟକ୍ତିମାନେ କୁଲିଂ ଅଫ ସମୟକୁ ଅଣଦେଖା କରୁଛନ୍ତି । ଯାହାକି ସେମାନଙ୍କ କ୍ଷେତ୍ରରେ ଗୁରୁତର ଅସଦାଚରଣ ବୋଲି ସିଭିସି କହିଛନ୍ତି ।

ଏନେଇ ସିଭିସି କେନ୍ଦ୍ର ସରକାରଙ୍କ ସବୁ ବିଭାଗର ସଚିବ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଅବସର ପରେ କୌଣସି ଘରୋଇ ସେକ୍ଟରରେ ନିଯୁକ୍ତି ଗ୍ରହଣ କରିବା ପୂର୍ବରୁ କର୍ମଚାରୀମାନେ ଯେପରି କୁଲିଂ ଅଫ ସମୟକୁ ମାନିବେ ସେଥିପାଇଁ ସମସ୍ତ ସରକାରୀ ସଂସ୍ଥା ନିଜ କର୍ମଚାରୀମାନଙ୍କ ଲାଗି ଉପଯୁକ୍ତ ନିୟମାବଳୀ ଓ ଗାଇଡଲାଇନ ପ୍ରସ୍ତୁତ କରିବାକୁ ସିଭିସି ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏହି ନିୟମ ଗୁଡିକ ଉଲ୍ଲଘଂନ କରାଗଲା ତାହାଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ କହିଛନ୍ତି ।

Related Posts