୨୦୨୩ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ, ସ୍ପଷ୍ଟ କଲା ବିସିସିଆଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏସିଆ କପ୍ ୨୦୨୩ ଖେଳିବାକୁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯିବ ନାହିଁ। ଏହି ନିଷ୍ପତ୍ତି ନେଇଛି ବିସିସିଆଇ। ତେବେ ଏସିଆ କପ୍ ୨୦୨୩ ପାକିସ୍ତାନରେ ହେବ କି ନାହିଁ ଏହା ଉପରେ ଆଗାମୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏସୀୟ କ୍ରିକେଟ୍ ପରିଷଦ(ଏସିସି)ର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଂପାଦକ ଜୟ ଶାହ।

ଉଲ୍ଲେଖଯୋଗ୍ୟ ଯେ, ଏସିଆା କପ୍ ୨୦୨୩ର ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଛି। ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହି ବିଷୟରେ ଆଲୋଚନା ହୋଇଛି।

ଏନେଇ ବିସିସିଆଇ ନିଷ୍ପତ୍ତି ନେଇଛି ଯେ, ଭାରତୀୟ ଦଳ ୨୦୨୩ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ। ତେଣୁ ଟୁର୍ଣ୍ଣାମେଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ। କ୍ରିକବଜ୍‌ର ଖବର ଅନୁଯାୟୀ, ଏସିଆ କପ୍‌ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ ଯେ, ଭାରତୀୟ ଦଳ ୨୦୦୮ ପରଠାରୁ ପାକିସ୍ତାନ ଗସ୍ତ କରି ନାହିଁ। ୨୦୦୮ ଏସିଆ କପ୍ ପାଇଁ ଭାରତୀୟ ଦଳ ଶେଷ ଥର ପାକିସ୍ତାନ ଗସ୍ତ କରିଥିଲା। ଦୁଇ ଦେଶ ମଧ୍ୟରେ ଖରାପ ରାଜନୈତିକ ସଂପର୍କ କାରଣରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ବର୍ଷ ହେବ କୌଣସି ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳା ଯାଇ ନାହିଁ। ଆଇସିସି ଏବଂ ଏସିଆ କପ୍ ପରି ଟୁର୍ଣ୍ଣାମେଣ୍ଟରେ ହିଁ ଦୁଇ ଦେଶ ପରସ୍ପର ବିପକ୍ଷରେ ଖେଳୁଛନ୍ତି।

Related Posts