ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଥମେ ଚାଷୀ ଓ ଏବେ ତେଜିଛି ପଦ୍ମପୁର ରେଳ ପ୍ରକଳ୍ପ ରାଜନୀତି । ଗତକାଲି ରାଜ୍ୟର ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲେଖିଥିବା ଚିଠିର ଜବାବ ରଖିଛନ୍ତି ରେଳମନ୍ତ୍ରୀ । ଅଶ୍ୱିନୀ ଚିଠିରେ କହିଛନ୍ତି ଯେ, ବରଗଡ଼ ପଦ୍ମପୁର ଦେଇ ନୂଆପଡ଼ାକୁ ସଂଯୋଗ କରିବା ପାଇଁ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡକୁ ପ୍ରକଳ୍ପର ଦାୟିତ୍ବ ଦିଆଯାଇଛି। ଏହି ସଂସ୍ଥା ରାଜ୍ୟ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ । ସର୍ଭେ ଏବଂ ଜମି ଅଧିଗ୍ରହଣ ସହ ଜଡିତ କାମକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ରେଳମନ୍ତ୍ରୀ । ସେପଟେ ବିଜେଡି ଏହି ଚିଠିର ଜବାବରେ କହିଛି ରେଳ ବିଭାଗ ନିଜେ ସର୍ଭେ ନ କରି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦୁଛି । ତେବେ ଏହି ରେଳ ପ୍ରକଳ୍ପ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିଛି କଂଗ୍ରେସ ।

ବରଗଡ଼ ନୂଆପଡ଼ା ଟ୍ରେନଲାଇନ୍ ବିବାଦକୁ ନେଇ ଚାଲିଛି ଚିଠି ରାଜନୀତି। ରାଜ୍ୟ ଓ କେନ୍ଦ୍ର ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି । ପ୍ରଥମେ ପଦ୍ମପୁର ଦେଇ ବରଗଡ଼ ଓ ନୂଆପଡ଼ାକୁ ରେଳ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଯାହାର ଜବାବ ରଖିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥିରେ ସେ ଲେଖିଛନ୍ତି ବରଗଡ଼ରୁ ପଦ୍ମପୁର ଦେଇ ନୂଆପଡ଼ାକୁ ସଂଯୋଗ କରିବା ପାଇଁ ତିଆରି ହେବାକୁଥିବା ରେଳ ପ୍ରକଳ୍ପ ଦାୟିତ୍ବ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ORIDL) କୁ ଦିଆଯାଇଛି। ଏହି ସଂସ୍ଥା ରାଜ୍ୟ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ । ଏହାସହିତ ସେ ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ସର୍ଭେ ଏବଂ ଜମି ଅଧିଗ୍ରହଣ ସହ ଜଡିତ କାମକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ରେଳମନ୍ତ୍ରୀ ।

ସେପଟେ ବରଗଡ ସାଂସଦ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମୀଳନୀ କରି ବିଜେଡିକୁ ଜୋରଦାର ସମାଲୋଚନା କରିଛନ୍ତି। ସୁରେଶ କହିଛନ୍ତି ଯେ, ଉପନିର୍ବାଚନ ଥିବାରୁ ପଦ୍ମପୁରବାସୀଙ୍କୁ ଭ୍ରମିତ କରିବା ଲାଗି ଶାସକ ଦଳର ଏମିତି ଚାଲ୍ ଖେଳୁଛି । ବରଗଡ଼-ନୂଆପଡ଼ା ରେଳ ଲାଇନ ପାଇଁ ପୂର୍ବରୁ ବିଜେପି ଉଦ୍ୟମ ଆରମ୍ଭ କରିଛି ବୋଲି ସୁରେଶ କହିଛନ୍ତି ।

ସେପଟେ ବିଜେଡି ସାଂସଦ ସସ୍ମିତ ପାତ୍ର ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଏବେ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ୩ ବର୍ଷ ପୂରଣ ହୋଇଛି କିନ୍ତୁ କାହିଁକି ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନି । ରାଜ୍ୟ ସରକାର ଏଥିପାଇଁ ଜମି ଏବଂ ୩୦୦ କୋଟି ଟଙ୍କା ଯୋଗାଇ ଦେବେ ବୋଲି କହିଛନ୍ତି । କିନ୍ତୁ ରେଳ ଲାଇନ୍ ପ୍ରକଳ୍ପ ତିଆରି ନହେବା ରାଜ୍ୟକୁ କେନ୍ଦ୍ର ଅଣଦେଖା କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

ସେପଟେ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, । ନରସିଂହ କହିଛନ୍ତି ଯେ, ଆଗକୁ ନିର୍ବାଚନ ଥିବାରୁ ପ୍ରକଳ୍ପକୁ ନେଇ ଦୁଇ ଦଳ ରାଜନୀତି କରୁଛନ୍ତି । ଏପରିକି ନିର୍ବାଚନ ଆସିଲେ ପ୍ରକଳ୍ପ କଥା ମନେପଡେ ଚିଠି ଦେବାନେବା ହୋଇଥାଏ ବୋଲି ନରସିଂହ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ୧୪୨ କିଲୋମିଟର ରେଳପଥ ବରଗଡ଼ର ବିଜେପୁର ଓ ପଦ୍ମପୁର ଦେଇ ଯିବ। ଏଥିରେ ରାଜ୍ୟ ସରକାରଙ୍କ ଅଂଶଧନ ୫୧ ପ୍ରତିଶତ ଥିବା ବେଳେ ରେଳ ମନ୍ତ୍ରଣାଳୟର ଅଂଶଧନ ରହିଛି ୪୯ ପ୍ରତିଶତ। ତେବେ ଆଗକୁ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଏହି ପ୍ରକଳ୍ପକୁ ନେଇ ରାଜ୍ୟର ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।