ଧାର୍ମିକ ମୌଳବାଦ ଭାରତରେ ଚରମରେ ପହଞ୍ଚିଛି, ଏହା ଦେଶକୁ ନଷ୍ଟ କରିଦେବ: କେସିଆର୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶନିବାର ତେଲେଙ୍ଗାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାପରେ ଏକ ସମାବେଶକୁ ସମ୍ବୋଧିତ କରି କେସିଆର୍‌ ଅଭିଯୋଗ କରିଛନ୍ତି ଯେ, ଦେଶରେ ତଥା ତେଲେଙ୍ଗାନାରେ ସାମ୍ପ୍ରଦାୟିକ ଗୋଷ୍ଠୀ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଲୋକଙ୍କ ମଧ୍ୟରେ ଘୃଣା ବିସ୍ତାର କରୁଛନ୍ତି।ସେ ଆହୁରି କହିଛନ୍ତି ଯେ, ଯଦି ଧାର୍ମିକ ମୌଳବାଦ ବଢ଼ିଯାଏ ତେବେ ଏହା ଦେଶକୁ ନଷ୍ଟ କରିଦେବ ଏବଂ ଫଳ ସ୍ବରୂପ ମାନବିକ ସମ୍ପର୍କ ବିଗିଡିଯିବ। ରାଓ କହିଛନ୍ତି ଯେ ଏବେ ଧାର୍ମିକ ମୌଳବାଦ ଭାରତରେ ଚରମ ସୀମାରେ ପହଞ୍ଚିଛି। ଏବେ ଭାରତରେ ସ୍ଥିତି ବିପଜ୍ଜନକ ରହିଛି ବୋଲି ସେ କହିଛନ୍ତି।

କେତେକ ଗୋଷ୍ଠୀ ନିଜର ସଂକୀର୍ଣ୍ଣ ସ୍ବାର୍ଥ ପାଇଁ ସାମାଜିକ ସ୍ତରରେ କଣ୍ଟା ବୁଣିବାକୁ ଚାହୁଁଛନ୍ତି। ସେମାନେ ସେମାନଙ୍କର ମନ୍ତବ୍ୟ ଦ୍ୱାରା ଲୋକଙ୍କ ମଧ୍ୟରେ ଘୃଣା ବିସ୍ତାର କରୁଛନ୍ତି। ଲୋକଙ୍କ ମଧ୍ୟରେ ଏପରି ବିଭାଜନ କୌଣସି ପ୍ରକାରେ ଯଥାର୍ଥ ନୁହେଁ ବୋଲି କେସିଆର୍‌ କହିଛନ୍ତି। ସେ ଦାବି କରିଛନ୍ତି ଯେ, ସେପ୍ଟେମ୍ବର ୧୭ର ଐତିହାସିକ ଘଟଣାଗୁଡ଼ିକ ସହିତ କୌଣସି ସମ୍ପର୍କ ନଥିବା ଏହି ଶକ୍ତିମାନେ ହୀନ ରାଜନୀତି କରି ତେଲେଙ୍ଗାନାର ଉଜ୍ଜ୍ୱଳ ଇତିହାସକୁ ବିକୃତ ଏବଂ ପ୍ରଦୂଷିତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଗୃହମନ୍ତ୍ରୀ ଅମିତ ଶାହା ଏବେ ତେଲେଙ୍ଗାନା ଗସ୍ତରେ ଅଛନ୍ତି। ତେଣୁ କେସିଆର୍‌ ନାଁ ନନେଇ ଏହି ଅବସରରେ ତାଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ବୋଲି କୁହାଯାଉଛି।

Related Posts