ବି.ଆର୍‌. ଆମ୍ୱେଦକରଙ୍କ ନାମରେ ନାମିତ ହେଉ ନୂଆ ସଂସଦ ଭବନ; ତେଲେଙ୍ଗାନା ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନିର୍ମାଣ ହେଉଥିବା ଦେଶର ନୂଆ ସଂସଦ ଭବନର ନାଁ ଡକ୍ଟର ବି.ଆର୍‌. ଆମ୍ୱେଦକରଙ୍କ ନାମରେ ନାମିତ କରାଯାଉ। ଏପରି ଦାବି କରାଯାଇ ତେଲେଙ୍ଗାନା ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରାଯାଇଛି। ଏହି ପ୍ରସ୍ତାବରେ ଦାବି କରାଯାଇଛି ଯେ ନୂଆ ସଂସଦ ଭବନର ନାଁ ଡକ୍ଟର ବି.ଆର୍‌. ଆମ୍ୱେଦକରଙ୍କ ନାମରେ ନାମିତ କରାଯାଉ।ଏହା ବ୍ୟତୀତ ଆଉ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ନୂଆ ବିଜୁଳି ସଂସୋଧନ ବିଧେୟକକୁ ବିରୋଧ କରାଯାଇଛି।

ତେଲେଙ୍ଗାନା ଆଇଟି ଓ ଶିଳ୍ପ ମନ୍ତ୍ରୀ କେଟି ରାମାରାଓ ବିଧାନସଭାରେ ଏହି ପ୍ରସ୍ତାବ ପାରିତ କରିଥିବା ସୂଚନା ମିଳିଛି। ଏଥିରେ କୁହାଯାଇଛି ଯେ ନୂଆ ସଂସଦ ଭବନର ନାଁକୁ ସମ୍ୱିଧାନ ନିର୍ମାତା ଡକ୍ଟର ବି.ଆର୍‌. ଆମ୍ୱେଦକରଙ୍କ ନାଁରେ ନାମିତ କରିବା ଉପଯୁକ୍ତ ହେବ। ସେହିଭଳି ରାଜ୍ୟର ଶକ୍ତି ମନ୍ତ୍ରୀ ଜଗଦୀଶ ରେଡୀ କେନ୍ଦ୍ର ସରକାରଙ୍କ ନୂଆ ବିଜୁଳି ବିଲ୍‌ ବିରୋଧରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହି ବିଲ୍‌ କୃଷକ, ଗରିବ ଓ ମଧ୍ୟବିତ୍ତଙ୍କୁ କୌଣସି ଫାଇଦା ମିଳିବ ନାହିଁ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଦେଶର ରାଜଧାନୀରେ ସେଣ୍ଟ୍ରାଲ ବିଷ୍ଟାର ପୁନଃବିକାଶ ପାଇଁ ଏକ ନୂଆ ସଂସଦ ଭବନ ନିର୍ମାଣ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ଡିସେମ୍ୱରରେ ଏହି ନୂଆ ସଂସଦ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ଭବନର ଛାତରେ ନିର୍ମାଣ ହୋଇଥିବା ରାଷ୍ଟ୍ରୀୟ ପ୍ରତିକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଥିଲେ। ଆଗାମୀ ଶୀତ କାଳିନ ଅଧିବେଶନ ଏହି ନୂଆ ସଂସଦ ଭବନ ରେ ଆୟୋଜିତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା ରହିଛିନ୍ତି ।

Related Posts