ତେଲେଙ୍ଗାନା ବିଧାୟକ କିଣାବିକା ମାମଲା; ବିଜେପି ମହାସଚିବ ବି.ଏଲ ସନ୍ତୋଷଙ୍କୁ ସମନ ଜାରି କଲା ଏସଆଇଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତେଲେଙ୍ଗାନାରେ ଶାସକ ଦଳ ବିଆରଏସ (ଭାରତ ରାଷ୍ଟ୍ର ସମିତି) ବିଧାୟକଙ୍କୁ କିଣାବିକା ମାମଲାରେ ତଦନ୍ତ ଜାରି ରହିଛି । ତେଲେଙ୍ଗାନା ଡିଜିପି ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ । ଏବେ ଏହି ପ୍ରସଙ୍ଗରେ ଏସଆଇଟି ବିଜେପିର ଅନ୍ୟତମ ଶୀର୍ଷ ନେତାଙ୍କୁ ସମନ୍ କରିଛନ୍ତି । ଦଳର ମହାସଚିବ ବି.ଏଲ୍ ସନ୍ତୋଷଙ୍କୁ ସମନ୍ କରିଛି ଏସଆଇଟି ।ଚଳିତ ମାସ ୨୧ ତାରିଖ ସକାଳ ୧୦.୩୦ ସମୟରେ ହାଇଦ୍ରାବାଦ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ଏସଆଇଟି ନୋଟିସ୍ କରିଛି । ନୋଟିସରେ କୁହାଯାଇଛି ଯେ ଯଦି ସେ ହାଜର ନ ହୁଅନ୍ତି ତେବେ ତାଙ୍କୁ ଗିରଫ କରିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଗତ ମାସରେ ତେଲେଙ୍ଗାନା ବିଧାୟକଙ୍କ ଘୋଡା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ସାଇବରବାଦ ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ପୋଲିସ କହିଛି ଯେ ରାଜ୍ୟ ସରକାରଙ୍କୁ ଭାଙ୍ଗିବା ପାଇଁ ବିଧାୟକମାନେ ପ୍ରଲୋଭିତ ହୋଇଥିଲେ ।

ତେବେ ତେଲେଙ୍ଗାନାର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) କୋର୍ଟ ଏହି ତିନିଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତ ରାମଚନ୍ଦ୍ର ଭାରତୀ, ନନ୍ଦ କୁମାର ଏବଂ ସିଂହୟାଜି ସ୍ୱାମୀଙ୍କୁ ପୋଲିସ ମୁକ୍ତ କରିଛି ।

ଭରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକଙ୍କ କିଣିବାକୁ ପ୍ରୟାସ ହେଉଥିବା ନେଇ ସୂଚନା ଦେବା ପରେ ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏପରି ଘୋଡାବେପାର ପଛରେ ବିଆରଏସ ନେତାମାନେ ବିଜେପିକୁ ଦାୟୀ କରିଛନ୍ତି । ପୋଲିସର ସୂଚନାନୁସାରେ, ନଗଦ ଟଙ୍କା, ଚେକ୍ ଏବଂ ପୁରସ୍କାର ପ୍ରଦାନ ମାଧ୍ୟମରେ ବିଆରଏସର କିଛି ବିଧାୟକଙ୍କୁ କିଣିବାକୁ ପ୍ରୟାସ ହୋଇଥିଲା ।

Related Posts