ଆନ୍ଧ୍ରପ୍ରଦେଶର ରାସାୟନିକ ଉତ୍ପାଦନ ୟୁନିଟ୍‌ରେ ଭୟାବହ ଅଗ୍ନିକାଣ୍ଡ: 6 ମୃତ, 11 ଗୁରୁତର

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଅକ୍କିରେଡ୍ଡିଗୁଡେମରେ ରାସାୟନିକ ଉତ୍ପାଦନ ୟୁନିଟ୍‌ରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଫଳରେ ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୧ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବିଜୟଓ୍ବାଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଗ୍ନିକାଣ୍ଡ ଏବେ ଭୟାବହ ଥିଲା ଯେ ତାହା କାରଖାନାର ଦୁଇ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ଯେଉଁଠାରେ ୧୭ଜଣ କର୍ମଚାରୀ କାମ କରୁଥିଲେ । ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ଅନେକ ଲୋକଙ୍କ ଘର ବିହାରରେ ବୋଲି ଜଣାପଡିଛି । ସେମାନେ ପଶ୍ଚିମ ଗୋଦାବରୀ ଜିଲ୍ଲାର ଅକ୍କିରେଡ୍ଡିଗୁଡେମ ସ୍ଥିତ ପୋରସ ଲ୍ୟାବ୍ସ ପ୍ରାଇଭେଟ୍ ଲିମିଟେଡ୍ ରେ ନାଇଟ୍ ସିଫ୍ଟ କରୁଥିଲେ ।

ପଶ୍ଚିମ ଗୋଦାବରୀ ଜିଲ୍ଲା ଏସପି କହିଛନ୍ତି ଯେ, ପୋରସ ରସାୟନିକ କାରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଠାରେ ପଲିମର ପ୍ରସ୍ତୁତ କରାଯାଉଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଗ୍ୟାସ୍ ପାଇପ୍ ଲାଇନ୍ ଲିକ୍ କିମ୍ବା ଭାଙ୍ଗିଯିବା ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ଶବ ଉଦ୍ଧାର କରାଯାଇଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଂକା ପ୍ରକାଶ ପାଇଛି ।

Related Posts