ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ପରଲୋକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ତଥା ସାରସ୍ୱତ ସାଧିକା ମନୋରମା ମହାପାତ୍ରଙ୍କ ପରଲୋକ । ୮୭ ବର୍ଷ ବୟସରେ ମନୋରମାଙ୍କ ଦେହାନ୍ତ ଘଟିଛି । ଦୈନିକ ସମାଜର ପୂର୍ବତନ ସଂପାଦିକା ମନୋରମାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲ ଅଣାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗତକାଲି ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ସମସ୍ତେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଶୋକ ପ୍ରକାଶ କରିଛନ୍ତି । 

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶୋକ ପ୍ରକାଶ କରି କହିଛନ୍ତି, ” ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ବିଶିଷ୍ଟ ସାହିତ୍ୟିକ ତଥା ଦୈନିକ ଖବରକାଗଜ ସମାଜର ପୂର୍ବତନ ସଂପାଦିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ବହୁ ଦାସଂଦି ଧରି ତାଙ୍କ ପରିବାର ସହିତ ଆମର ଘନିଷ୍ଠ ସମ୍ପର୍କ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ।”

ସେ ସ୍ୱାଧିନତା ସଂଗ୍ରାମୀ ତଥା ‘ସମାଜ’ର ପୂର୍ବତନ ସଂପାଦକ ଡକ୍ଟର ରାଧାନାଥ ରଥଙ୍କ ଝିଅ ଥିଲେ। ୧୯୮୪ ମସିହାରେ ସେ ସାହିତ୍ୟ ଏକାଡେମୀ ଆଓ୍ୱାର୍ଡ ପାଇଥିଲେ ।୧୯୯୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷା ଥିଲେ। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି । ସେ ଏକାଧାରରେ ଜଣେ କବୟିତ୍ରୀ, ଲେଖିକା, ସ୍ତମ୍ଭକାର, ସାମ୍ବାଦିକା ଓ ଅବସରପ୍ରାପ୍ତ ଅଧ୍ୟାପିକା ଥିଲେ। ମନୋରମାଙ୍କ ଅନେକ ରଚନା ମଧ୍ୟରେ ବଣରାଇଜର କଥା, ବୈଦେହୀ ବିସର୍ଜିତା, ଏକଲା ନଈର ଗୀତ , ଜହ୍ନରାତିର ମୁହଁ , ସାତ ସମୁଦ୍ର ତେର ନଈ , ଟିକି ବଗିଚାର ଟିକି ଚଢ଼େଇ , ଆଇଙ୍କ ମୁଣିରୁ ବିଜ୍ଞାନ ଗପ , ବନ୍ଦ ଘରର କବାଟ , ଆମେ ସବୁ ନୀରବ ଦର୍ଶକ , ଝଡ଼ପରେ ସୂର୍ଯ୍ୟୋଦୟ , ପାହାନ୍ତି ତାରାର ଲୁହ , ସମୟ ପୁରୁଷ ଆଦି ପ୍ରସିଦ୍ଧ ଗପ ଓ ଉପନ୍ୟାସ ରହିଛି। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା  ଖେଳିଯାଇଛି।

Related Posts