ନବୀନ ସରକାରକୁ ଟାର୍ଗେଟ୍ : ୨୦୧୪ ରୁ କାହିଁକି ଗଠନ ହୋଇନି ଭିଜିଲାନନ୍ସ ମନିଟରିଂ କମିଟି , ’18ରୁ ନାହିଁ T.A.C ଉପଦେଷ୍ଟା କମିଟି : ସତ୍ୟ ପ୍ରକାଶ

ଭୁବନେଶ୍ୱର :  ଓଡ଼ିଶା ଜନସଂଖ୍ୟାର ୪୦ ଭାଗ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଲୋକ । ସଂବିଧାନର ଧାରା ୪୬ ମୁତାବକ ଏହି ବର୍ଗର ସାମାଜିକ, ଆର୍ôଥକ ଓ ଶୈଖିକ ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ନର୍ଦ୍ଦେଶ ରହିଛି । ଏତଦ୍ ବ୍ୟତୀତ ୧୪୭ ଗୋଟି ବିଧାନସଭା ଆସନ ମଧ୍ୟରୁ ଓଡ଼ିଶାର ୫୭ ଗୋଟି ବିଧାୟକ ଏବଂ ୨୧ ଗୋଟି ଲୋକସଭା ଆସନରୁ ୮ ଗୋଟି ସାଂସଦ ଏହି ବର୍ଗରୁ ନିର୍ବାଚିତ ହୋଇଛନ୍ତି । ଆମ ରାଜ୍ୟର ୩୦ ଗୋଟି ରାଜସ୍ୱ ଜିଲ୍ଳାରେ ୩୦ ଜିଲ୍ଳା ମଙ୍ଗଳ ଅଧିକାରୀ ଓ ୩୧୪ ଗୋଟି ବ୍ଲକରେ ଡବ୍ଳୁ.ଇ.ଓ ଙ୍କ ସମେତ ୨୨ ଗୋଟି ଆଇ.ଟି. ଡି.ଏ ବିଭିନ୍ନ ଆଦିବାସୀ ଅଧ୍ୟୁସିତ ଜିଲ୍ଳାମାନଙ୍କରେ କାର୍ଯ୍ୟରତ, ଏବଂ ଏହି ୪୦ ଭାଗ ଲୋକଙ୍କର ସାମଗ୍ରିକ ବିକାଶ ପାଇଁ ଗଦା ଗଦା ଯୋଜନା ହେଉଛି, କିନ୍ତୁ ଏମାନଙ୍କର ବିକାଶ ହୋଇପାରୁ ନାହିଁ । ଯୋଜନାର ଅର୍ଥ ବାଟମାରଣା ହେଉଛି । ଦାୟୀତ୍ୱରେ ରହୁଥିବା ବାବୁ ମାନେ ମାଲେ ମାଲ ହୋଇ କେବଳ ଫଟୋ ଉଠାଇ, କାଗଜ ସର୍କୁଲାରରେ ପ୍ରଚାର ସର୍ବସ୍ୱ ବିକାଶ କରିଚାଲିଛନ୍ତି । ଅନ୍ୟ ପକ୍ଷରେ ଅନୁସୂଚୀତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ରହିଥିବା ସରକାରୀ ଯୋଜନା ଓ ଆଇନ ଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସମୀକ୍ଷା କରି ପ୍ରତିକାରାତ୍ମକ ପଦକ୍ଷେପ ପାଇଁ ରହିଥିବା ଟି.ଏ.ସି, ଅନୁସୂଚୀତ ଜାତି କଲ୍ୟାଣ ବୋର୍ଡ ଓ ଭିଜିଲାନ୍ସ ମନିଟରିଂ କମିଟି ଗୁଡ଼ିକୁ ଏ ସରକାର ଦୀର୍ଘ ବର୍ଷ ହେବ ଗଠନ କରୁନାହାଁନ୍ତି ।
ରାଜ୍ୟରେ ସାଂବିଧାନିକ ନିର୍ଦ୍ଦେଶକୁ ବେଖାତିର କରି ଚାଲିଥିବା ନବୀନ ସରକାର ସଂବିଧାନର ୫ମ ସିଡୁଲ ଅନୁଯାୟୀ ଧାରା ୨୪୪ (୧) ରେ ନିର୍ଦ୍ଦେଶ ସତ୍ୱେ ଆଦିବାସୀ ଉପଦେଷ୍ଟା ପରିଷଦ (ପ୍ରତିବର୍ଷ ଗଠନ ହେବା କଥା), ଉପଦେଷ୍ଟା ବୋର୍ଡ ରୁଲ ୧୯୫୭ (୪) ମୁତାବକ- ଅନୁସୂଚୀତ ଜାତି ଉପଦେଷ୍ଟା ବୋର୍ଡ (ଗତ ୨୦୧୪ ରୁ ଗଠନ ହୋଇନି), ଅନୁସୂଚୀତ ଜାତି ଓ ଜନଜାତି ଅତ୍ୟାଚାର ନିରାକରଣ ନିୟମ ୧୯୯୫ (୧୬) ଅନୁଯାୟୀ ଉଚ୍ଚସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ କମିଟିର ବୈଠକ ୨୦୧୪ ମସିହାରୁ ହୋଇନାହିଁ । ସେହିପରି ଜଙ୍ଗଲ ଅଧିକାର ଆଇନ କମିଟି ଏବଂ ଟ୍ରାଇବାଲ ସବ ପ୍ଲାନ ଓ ଅନୁସୂଚିତ ଜାତି କମ୍ପୋନେଟ ପ୍ଲାନର ମନିଟରିଂ କମିଟି ଗୁଡ଼ିକ ମଧ୍ୟ ଓଡ଼ିଶା ସରକାରରେ କାର୍ଯ୍ୟ କରୁନାହିଁ । ମୁଖ୍ୟମନ୍ତ୍ରୀ ସବୁବେଳେ ୪ କୋଟି ଓଡ଼ିଆକୁ ନିଜ ପରିବାର ସଦସ୍ୟ ବୋଲି ଡିଣ୍ଡିମ ପିଟୁଥିବା ବେଳେ ବିଭିନ୍ନ ଗଣ ସଂଗଠନ ଓ କଂଗ୍ରେସ ଦଳ ତରଫରୁ ବାରମ୍ବାର ଦାବି କରାଯାଇଥିଲା ବେଳେ ଏହିସବୁ କମିଟି ଗଠନ ପାଇଁ ସାମ୍ବିଧାନିକ ନିର୍ଦ୍ଦେଶକୁ ତାଙ୍କ ସରକାର ବେଖାତିର କରିଚାଲିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ ଜଣେ ରାଜ୍ୟ ପାହ୍ୟା ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇ ସଂବିଧାନର ଧାରା ୧୬୪ (କ) ର ଉଲଂଘନ କରିଛନ୍ତି । ସେହିପରି ବିଧାନ ସଭା ଓ ଲୋକସଭାରେ ଏହି ବର୍ଗ ନିମିତ ଆସନ୍ତା ୨୦୩୦ ପର୍ଯ୍ୟନ୍ତ ଆସନ ସଂରକ୍ଷଣ ପାଇଁ ସଂବିଧାନ ଧାରା ୩୩୪ର ସଂଶୋଧନ ବିଲ ଗତ ୨୦୨୦ ମସିହାରେ ସଂସଦରେ ପାସ ହେଲାପରେ ଓଡ଼ିଶା ବିଧାନ ସଭାରେ ଏହାକୁ ଅନୁମୋଦିତ (ରେଟିଫାଏ) କରାଗଲା ନାହିଁ । ରାଜ୍ୟ ସରକାର ଏବଂ ରାଜ୍ୟ ବିଧାନସଭା ଏହି ସଂବିଧାନ ସଂଶୋଧନ ବେଳେ ସେମାନଙ୍କ ଦାୟିତ୍ୱ ଭୁଲିଯାଇଛନ୍ତି । ଫଳରେ ରାଜ୍ୟରେ ୫୭ ସଂରକ୍ଷିତ ବିଧାୟକ ଥାଇ ମଧ୍ୟ ସରକାରୀ ଦଳର ଅପାରଗତା ଓ ଅଜ୍ଞତା ପାଇଁ ଓଡ଼ିଶା ବିଧାନସଭାରେ ଏହା ପାରିତ ହୋଇପାରିନାହିଁ ।
ଯଦି ଓ ଦେଶର ଅନ୍ୟବିଧାନ ସଭା ଗୁଡ଼ିକ ଦ୍ୱାରା ଅନୁମୋଦନ ହୋଇ ଏହା ରାଟିଫାଏ ହେବା ପରେ ଆଇନ ହୋଇଛି । ଗତ ୨୦୦୦ ମସିହାରୁ ଓଡ଼ିଶା ସଂରକ୍ଷଣ ଆଇନ ୧୯୭୫ର ସଂଶୋଧନ ବିଲ ବିଧାନ ସଭାରେ ପାରିତ ନ ହୋଇ ଗତ ୨୦ ବର୍ଷ ଧରି ଆଇନ ବିଭାଗରେ ପଡ଼ିରହିଛି । ଦେଶର ପ୍ରାୟ ୧୫ ଗୋଟି ଅନୁସୂଚୀତ ଜାତି ଓ ଜନଜାତି ବହୁଳ ରାଜ୍ୟରେ କେନ୍ଦ୍ରୀୟ ଢ଼ାଂଚାରେ ରାଜ୍ୟସ୍ତରୀୟ ଆୟୋଗ ଗଠନ ହୋଇଥିବା ବେଳେ ଓଡ଼ିଶାରେ ଏହି ବର୍ଗର ଜନ ସାଧାରଣଙ୍କ ଦାବିକୁ ନବୀନ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଅଧିକାଂଶ ଅନୁସୂଚୀତ ଜାତି ଓ ଜନଜାତି ଶ୍ରମିକ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲା ବେଳେ ଗତ କରୋନା ମହାମାରୀ ସମୟରେ ସେମାନଙ୍କ ସାମାଜିକ ଓ ଆର୍ଥିକ ସମସ୍ୟା ପ୍ରତି ସରକାର ନିଦାବ୍ରହ୍ମ ସାଜିଲେ । ସରକାରୀ କଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀ ମାନଙ୍କର ଏହି ବର୍ଗର ଜନସାଧାରଣଙ୍କ ପ୍ରତି ଆବେଗତା ନଥିବା ଜଣାପଡ଼ୁଛି । ଓଡ଼ିଶାରେ ଗତ ୨୦ ବର୍ଷର ନବୀନ ଶାସନ କାଳ ମଧ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ଲୋକଙ୍କ ଉପରେ ୧୦ ପ୍ରତିଶତରୁ ଅଧିକ ଅତ୍ୟାଚାର ମାମଲା ସଂଗଠିତ ହୋଇଛି । ଅତ୍ୟାଚାରିତ ମହିଳା, ଶିଶୁ ଓ ଅନୁସୂଚୀତ ଜାତି ଓ ଜନଜାତି ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦେବାରେ ବିଜୁ ଜନତା ଦଳର ସରକାର ଆଦୌ ସମ୍ବେଦନ ନୁହଁନ୍ତି । ଅନେକ କ୍ଷେତ୍ରରେ ପୋଲିସକୁ ଗୁହାରି ଜଣାଇବା ପାଇଁ ଗଲେ କ୍ଷତିଗ୍ରସ୍ତ ମାନେ ସେମାନଙ୍କ ଜୁଲମର ଶୀକାର ହେଉଛନ୍ତି । ଏଣୁ ଏ ସରକାର ଅନୁସୂଚୀତ ଜାତି ଓ ଜନାଜାତି ବିକାଶର ବିରୋଧି ବୋଲି ପ୍ରମାଣିତ ହୋଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗର ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ଅନୁସୂଚୀତ ଜାତି ଓ ଜନଜାତି ସଂଗଠକ ଶ୍ରୀ ହଳଧର ସେଠୀ ଉପସ୍ଥିତ ଥିଲେ ।
Related Posts