ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ପରଲୋକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ପରଲୋକ । ଏନେଇ ନିଜେ ଟ୍ରମ୍ପ ସୂଚନା ଦେଇଥିବାର ଦେଖିବାକୁ ମିଳିଛି । ତେବେ ନିଜସ୍ବ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ପୂର୍ବତନ ରାଷ୍ଟ୍ରପତି ୭୬ ବର୍ଷିୟ ଡୋନାଲ୍ଡ୍ ଟ୍ରମ୍ପ୍ ଲେଖିଛନ୍ତି: ନ୍ୟୁୟର୍କ ନଗରୀସ୍ଥିତ ନିଜ ବାସଭବନରେ ଇଭାନା ଟ୍ରମ୍ପ୍ଙ୍କର ଦେହାନ୍ତ ହୋଇଯାଇଛି। ସେ ଥିଲେ ଅସାଧାରଣ ଏବଂ ପ୍ରେରଣାଦାୟୀ ଜୀବନଯାପନ କରୁଥିବା ଜଣେ ଚମତ୍କାର ମହିଳା। ୩ ସନ୍ତାନ ଓ ୧୦ଜଣ ନାତିନାତୁଣୀଙ୍କୁ ତାଙ୍କ ଅନୁପସ୍ଥିତି ଖୁବ୍ ଦୁଃଖ ଦେବ। ସେ ଆହୁରି ମଧ୍ୟ ଲେଖିଛନ୍ତି, ନିଜର ୩ ସନ୍ତାନ ଡୋନାଲ୍ଡ୍ ଜୁନିୟର୍, ଇଭାଙ୍କା ଏବଂ ଏରିକ୍ଙ୍କୁ ନେଇ ସେ ଖୁବ୍ ସନ୍ତୁଷ୍ଟ ଥିଲେ ଓ ଆନନ୍ଦ ଅନୁଭବ କରୁଥିଲେ।

ସେମାନଙ୍କ ପାଇଁ ସେ ଗୌରବାନ୍ବିତ ମନେକରୁଥିବା ବେଳେ ଆମେ ବି ତାଙ୍କ (ଇଭାନା) ପାଇଁ ଗୌରବାନ୍ବିତ ହୋଇଥିଲୁ। ସେପଟେ ପୂର୍ବତନ ଚେକୋସ୍ଲୋଭାକିଆର କମ୍ୟୁନିଷ୍ଟ୍ ଶାସନରେ ବଢ଼ିଥିବା ମଡେଲ୍ ଇଭାନା ସେତେବେଳର ଉଦୀୟମାନ ‘ରିୟଲ୍ ଇଷ୍ଟେଟ୍ ଡେଭ୍ଲପର୍’ ଥିବା ଡୋନାଲଡ୍ ଟ୍ରମ୍ପ୍ଙ୍କୁ ୧୯୭୭ ମସିହାରେ ବିବାହ କରିଥିଲେ। ୯୦ ଦଶକର ଆଦ୍ୟଭାଗରେ ଉଭୟଙ୍କର ବିବାହ ବିଚ୍ଛେଦ ହେବା ପରେ ୧୯୯୩ରେ ଡୋନାଲ୍ଡ୍ ଟ୍ରମ୍ପ୍ ମ୍ୟାପ୍ଲ୍ସ୍ଙ୍କୁ ବିବାହ କରିଥିଲେ। ୧୯୯୯ରେ ମ୍ୟାପ୍ଲସ୍ଙ୍କୁ ଛାଡ଼ପତ୍ର ଦେଇ ୨୦୦୫ରେ ଟ୍ରମ୍ପ୍ ମେଲାନିଆଙ୍କୁ ବିବାହ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts