ରାଜ୍ୟରେ ଗରିବୀ ସମସ୍ୟା ନେଇ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଗରିବୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାସଂଦ ଅପରାଜିତା ଷଡ଼ଙ୍ଗୀ। ଦୀର୍ଘ ୨୨ ବର୍ଷ ଧରି ବିଜେଡି ଶାସନକ୍ଷମତାରେ ଥିବା ସତ୍ତ୍ୱେ ରାଜ୍ୟରୁ ଗରିବୀ ହଟିନଥିବା ସେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୧ କୋଟି ୩୫ଲକ୍ଷ ଲୋକେ ଗରିବ ଅଛନ୍ତି । ସେଥିମଧ୍ୟରୁ ୪୨ଲକ୍ଷ ପରିବାର ଋଣ ବୋଝରେ ବୁଡ଼ି ରହିଛନ୍ତି।କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଶାମୁକା ପଡିଆରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇ ଅପରାଜିତା ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କୋଣାର୍କ ତଥା ନିମାପଡା ଓ କାକଟପୁର ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିବେ । ସେପଟେ କୋଣାର୍କ ଜମିଜମା ସମସ୍ୟା ଓ ସ୍ୱାସ୍ଥ୍ୟସେବା ନେଇ ଅପରାଜିତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।ଏନେଇ ସେ କହିଛନ୍ତି ଯେ ଗୋଟିଏ ରାଜନୈତିକ ଦଳ ଦୀର୍ଘ ୨୨ବର୍ଷ ହେବ ରାଜ୍ୟରେ ଶାସନ କ୍ଷମତାରେ ଅଛି। ହେଲେ କୋଣାର୍କରେ ସମସ୍ତଙ୍କ ପାଖରେ ପଟ୍ଟା ନାହିଁ ।କୋଣାର୍କରେ ସମସ୍ତଙ୍କ ପାଖରେ ପଟ୍ଟା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ପଟ୍ଟା ନଥିବାରୁ ଲୋକେ ସରକାରୀ ସୁବାଧା-ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଏଠାକାର ସବୁଠୁ ବଡ଼ ସମସ୍ୟା ବୋଲି ଅପରାଜିତା କହିଛନ୍ତି।

Related Posts