
ଭୁବନେଶ୍ବର: ଓଡ଼ିଆ ଝିଅକୁ ମିଳିଲା ବଡ଼ ଦାୟିତ୍ଵ । FIDE ବିଶ୍ବ କ୍ୟାଡେଟ ଚେସ୍ ଚମ୍ପିଆନସିପ୍ ୨୦୨୨ ପାଇଁ ଭାରତୀୟ ଦଳର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି ଅପରାଜିତା ଗୋଚ୍ଛିକାର । ସର୍ବ ଭାରତୀୟ ଚେସ୍ ମହାସଂଘ ଅପରାଜିତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ।
ଆସନ୍ତା ସେପ୍ଟେମ୍ବର ୧୫ରୁ ୨୮ ଯାଏଁ ଜର୍ଜିଆର ବାଟୁମିରେ ବିଶ୍ବ କ୍ୟାଡେଟ ଚେସ ଚାମ୍ପିଆନସିପ୍ ଅନୁଷ୍ଠିତ ହେବ । ପୂର୍ବରୁ ଭାରତରେ ଖେଳାଯାଇଥିବା FIDE ଚେସ୍ ଅଲମ୍ପିଆଡରେ ଅପରାଜିତାଙ୍କୁ ଗୁରୁ ଦାୟିତ୍ବ ମିଳିଥିଲା ।
ପ୍ରକାଶ ଥାଉ କି, ଜୁଲାଇ ୨୭ରେ ଚେନ୍ନାଇର ଜେଏଲଏନ ଇନଡୋର ଷ୍ଟାଡିୟମରେ ୪୪ତମ ଚେସ ଅଲିମ୍ପିଆଡର ଶୁଭାରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ । ଜୁଲାଇ ୨୮ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ୪୪ ତମ ଚେସ୍ ଅଲିମ୍ପିଆଡ ଅନୁଷ୍ଠିତ ହୋଇଥିଲା । ୧୯୨୭ ମସିହାରୁ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଏବଂ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହୋଉଛି ।୧୮୭ଟି ଦେଶକୁ ନେଇ ଆୟୋଜିତ ଯେକୌଣସି ଚେସ୍ ଅଲିମ୍ପିଆଡରେ ଏହା ସବୁଠାରୁ ବଡ ଅଂଶଗ୍ରହଣ ହୋଇଥିଲା । ୬ଟି ଦଳରେ ୩୦ ଜଣ ଖେଳାଳିଙ୍କୁ ନେଇ ପ୍ରତିଯୋଗିତାରେ ଭାରତ ମଧ୍ୟ ସର୍ବବୃହତ ଦଳ ଭାବେ ସାମିଲ ହୋଇଥିଲା।