ମୋଦୀଙ୍କ ଆଗରେ ନତମସ୍ତକ ହୋଇଥିବା ନୀତିଶଙ୍କ ୪ଟି ଫଟୋ ଟୁଇଟ କରି ପରେ ଡିଲିଟ କଲେ ପ୍ରଶାନ୍ତ କିଶୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏକଦା ନୀତୀଶ କୁମାରଙ୍କ ଦଳ ଜେଡିୟୁର ନଂ୨ ନେତା ଥିଲେ ପ୍ରଶାନ୍ତ କିଶୋର। ହେଲେ ଦଳ ବିରୋଧୀ କାମ ପାଇଁ ପ୍ରଶାନ୍ତଙ୍କୁ ୨୦୨୦ରେ ଜେଡିୟୁର ବିଦା ହେବାକୁ ପଡ଼ିଥିଲା। ଦିନକ ପୂର୍ବରୁ ପିକେ ବିଜେପି ପାଇଁ କାମ କରୁଛନ୍ତି ବୋଲି ନୀତୀଶ କୁମାର କହିଥିଲେ। ଆଜି ଏହାର ଜବାବ ପିକେ ୪ଟି ଫଟୋ ଟୁଇଟ କରି ଦେଇଛନ୍ତି। ଏହି ୪ ଫଟୋରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ନତମସ୍ତକ ହେବାର ଦୃଶ୍ୟ ରହିଛି। ତେବେ କିଛି ସମୟରେ ସେ ଏହାକୁ ଡିଲିଟ ମଧ୍ୟ କରିଦେଇଛନ୍ତି। ସେ କେବଳ ୪ଟି ଫଟୋ ଜାରି କରିଥିଲେ। କିନ୍ତୁ ଏଥିରେ କୌଣସି ପ୍ରକାରର ମନ୍ତବ୍ୟ ଦେଇ ନଥିଲେ।

ତେବେ ଦିନକ ପୂର୍ବରୁ ନୀତୀଶ କୁମାର ନିର୍ବାଚନ ରଣନୀତିଜ୍ଞ ପିକେଙ୍କୁ ‘ପ୍ରଚାର ବିଶେଷଜ୍ଞ’ ବୋଲି କହିଥିଲେ। ଏଥିସହ ତାଙ୍କ ବୟାନର କୌଣସି ମୂଲ୍ୟନାହିଁ ବୋଲି ନୀତୀଶ କହିବାକୁ ପଛାଇ ନଥିଲେ। ଆରଜେଡି ସହ ହାତ ମିଳାଇବାକୁ ଜେଡିୟୁ ନେଇଥିବା ନିଷ୍ପତ୍ତି କେବଳ ଆଞ୍ଚଳିକ ସ୍ତରରେ ପ୍ରଭାବ ପକାଇବ ଓ ଜାତୀୟ ସ୍ତରରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ପିକେ ଦେଇଥିବା ବୟାନକୁ ମଧ୍ୟ ନୀତୀଶ କୁମାର ଖଣ୍ଡନ କରିଥିଲେ।

ପିକେଙ୍କୁ ଟାର୍ଗେଟ କରି ନୀତୀଶ କୁମାର କହିଥିଲେ ଯେ “୨୦୦୫ ପରଠାରୁ କେତେ କାମ ହୋଇଛି ସେବିଷୟରେ ସେ(ପିକେ) କିଛି ଜାଣିଛନ୍ତି? ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସହ କାମ କରିବା ତାଙ୍କର ଗୋଟିଏ ବ୍ୟବସାୟୀ। ସେ ବିହାର ପାଇଁ କ’ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଆମର କିଛି ଫରକ ପଡ଼ିବାର ନାହିଁ। ପିକେ ସମ୍ଭବତଃ ଶେଷ ସମୟରେ ବିଜେପିକୁ ଫାଇଦା ଦେବା ପାଇଁ କାର୍ଯ୍ୟ କରିପାରନ୍ତି।”

୪ ବର୍ଷ ତଳେ ପିକେ ବିହାର ରାଜନୀତିରେ ପ୍ରବେଶ କରିଥିଲେ। ସେ ଜେଡିୟୁରେ ମିଶିବା କ୍ଷଣି ତାଙ୍କୁ ଦଳର ଜାତୀୟ ଉପାଧ୍ୟକ୍ଷ କରାଯାଇଥିଲା। ତେବେ ସିଏଏ-ଏନପିଆର ଓ ଏନଆରସି ବିବାଦକୁ ପିକେ ଓ ନୀତୀଶ କୁମାରଙ୍କ ମଧ୍ୟରେ ମତପାର୍ଥକ୍ୟ ସୃଷ୍ଟି ହୋଇଥିଲା। ଶେଷରେ ପିକେଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

Related Posts