ମୋ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ; କ୍ରାଇମବ୍ରାଞ୍ଚ ତଦନ୍ତକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ: ତିର୍ତ୍ତୋଲ ବିଧାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରେମିକାର ଅଭିଯୋଗକୁ ଖଣ୍ଡନ କଲେ ତିର୍ତ୍ତୋଲ ବିଧାୟକ । ସେ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ। ମୋ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ। ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି । ତଦନ୍ତ କରିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ଏ ଯାଏଁ ମୋତେ କ୍ରାଇମବ୍ରାଞ୍ଚରୁ ନୋଟିସ ଆସିନି । ନୋଟିସ ଆସିଲେ ମୁଁ ତଦନ୍ତର ସାମ୍ନା କରିବି। ସୂଚନା ଥାଉ କି ବିଜୟଙ୍କ ବାନ୍ଧବୀ ତାଙ୍କ ବିରୋଧରେ ପୁଲିସ ନିକଟରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ବିଜୟଶଙ୍କର ସେକ୍ସ କାରବାର ଚଳାଉଛନ୍ତି ଏବଂ ଏହି ରୢାକେଟରେ ନିରୀହ ଯୁବତୀଙ୍କୁ ନିୟୋଜିତ କରୁଛନ୍ତି। ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ। ଆଉ ଏହି ଅଭିଯୋଗର ତଦନ୍ତ ପାଇଁ ଜଗତସିଂହପୁର ଏସ୍ପି ଅଖିଳେଶ୍ବର ସିଂହ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଥିଲେ ।

ସେପଟେ ପ୍ରଥମେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାସଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଉଭୟଙ୍କ ବିବାଦ ଏବଂ ଆପୋସ ଆଲୋଚନା ମଧ୍ୟରେ ବିବାହ ପାଇଁ ନିଷ୍ପତ୍ତି ବି ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା। ଉଭୟ ବିବାହ କରିବାକୁ ଗତ ମେ’ ମାସ ୧୭ ତାରିଖରେ ନିଷ୍ପତ୍ତି ନେଇଥିଲେ। କେବଳ ସେତିକି ନୁହେଁ, ସୋମାଲିକା ଓ ବିଜୟ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଜୁନ୍ ୧୭ ତାରିଖରେ ସୋମାଲିକା ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚି ବିଜୟଙ୍କୁ ଅପେକ୍ଷା କରିଥିଲେ ବି ବିଜୟ କିନ୍ତୁ ଆଉ ପହଞ୍ଚି ନଥିଲେ। ଏହି ଘଟଣା ପରେ ତାଙ୍କୁ ପ୍ରତିଶ୍ରୁତି ଦେଇ ବିଜୟଶଙ୍କର ଧୋକା ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ ସୋମାଲିକା। ପରେ ପରେ ବିଧାୟକ ଶ୍ରୀ ଦାସ ସେକ୍ସ କାରବାର ଚଳାଉଥିବା ଭଳି ସଂଗିନ ଅଭିଯୋଗ ଥାନାରେ କରିଥିଲେ। ଜଗତସିଂହପୁର ଥାନା ପୁଲିସ ଗଲା ଜୁନ୍ ୧୮ ତାରିଖରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Related Posts