କରୋନା ଆକ୍ରାନ୍ତ ଡାକ୍ତରଙ୍କ ଦେଢ କୋଟି ଟଙ୍କାର ହସ୍ପିଟାଲ ବିଲ୍ ଭରିବେ ଆନ୍ଧ୍ର ସରକାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ହାଇଦ୍ରାବାଦର ଏକ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଥିବା ଜଣେ କରୋନାରେ ପୀଡିତ ସରକାରୀ ଡାକ୍ତରଙ୍କ ଚିକିତ୍ସା ଖର୍ଚ୍ଚ ଦେଢ କୋଟି ଟଙ୍କା ଆନ୍ଧ୍ରପ୍ରଦେଶ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଯୁବ ଡାକ୍ତର ଡି ଏନ ଭାସ୍କର ରାଓଙ୍କୁ ECMO (Extracorporeal Membrane Oxygenation) ରେ ରଖିବା ଏବଂ ଫୁସଫୁସ ପ୍ରତିରୋପଣ କରିବା ପାଇଁ ଦେଢ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଡାକ୍ତରଙ୍କ ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରିବାର ସାମର୍ଥ୍ୟ ନଥିବାରୁ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ଯେ ଏହି ଡାକ୍ତରଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଡି ଏନ ଭାସ୍କର ରାଓ ପ୍ରାକସାମ ଜିଲ୍ଲାର କରାମଚେଡୁ PHC (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ପତ୍ନୀ ଡ ଭାଗ୍ୟଲକ୍ଷ୍ମୀ ଗୁଣ୍ଟୁର ମେଡିକାଲ କଲେଜର ସହକାରୀ ପ୍ରଫେସର ଅଛନ୍ତି । ଉଭୟ ଲକ୍ଷଣ ଦେଖାଯାବା କାରଣରୁ କୋଭିଡ ଟେଷ୍ଟ କରିଥିଲେ ଏବଂ ରିପୋର୍ଟ ପଜିଟିଭ ଆସିବା ପରେ ଏପ୍ରିଲ୍ ୩୦ ରେ ଗୁଣ୍ଟୁର GGH (ସରକାରୀ ଜେନେରାଲ୍ ହସ୍ପିଟାଲ୍) ରେ ଭର୍ତ୍ତି ହୋଇଥିଲେ । ପରେ ମେ ୩ ତାରିଖରେ ଭାସ୍କର ରାଓଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ବିଜୟୱାଡାର ଆୟୁଷ ହସ୍ପିଟାଲ ନାମକ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମେ୧ ରେ ତାଙ୍କୁ ହାଇଦ୍ରାବାଦର ସୋମାଜିଗୁଡାସ୍ଥିତ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖିବାକୁ ପଡ଼ିଥିଲା । ମେ ୧୦ରେ ତାଙ୍କୁ ହାଇଦ୍ରାବାଦର ଗାଚିଓଲି ସ୍ଥିତ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ଫୁସଫୁସ ପ୍ରତିରୋପଣର ଆବଶ୍ୟକ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଚିକିତ୍ସା ଖର୍ଚ୍ଚ ବହନ କରିଥିବାରୁ ଆନ୍ଧ୍ରପ୍ରଦେଶ ଡାକ୍ତର ସଂଘ ଆସୋସିଏସନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related Posts