କରୋନିଲ୍ କୌଣସି ମେଡିସିନ ନୁହେଁ : ଉତ୍ତରାଖଣ୍ଡରେ କରୋନିଲ୍ କୁ କୋଭିଡ୍ କିଟ୍ ରେ ସାମିଲ୍ ପ୍ରସ୍ତାବକୁ ଆଇଏମ୍ଏ ର ବିରୋଧ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ଉତ୍ତରାଖଣ୍ଡ ସରକାରଙ୍କ ଦ୍ବାରା ପ୍ରସ୍ତୁତ କୋଭିଡ୍ କିଟ୍ ରେ ପତଞ୍ଜଳୀ କମ୍ପାନୀର କରୋନିଲ୍ ସାମିଲ୍ କରିବା ପ୍ରସ୍ତାବକୁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ଉତ୍ତରାଖଣ୍ଡ ୟୁନିଟ୍ ବିରୋଧ କରିଛି। ଏ ସମ୍ପର୍କରେ ଉତ୍ତରାଖଣ୍ଡ ଆଇଏମ୍ଏ ସଭାପତି ଡକ୍ଟର ଅଜୟ ଖାନ୍ନା ଏହି ପ୍ରସ୍ତାବକୁ ବିରୋଧ କରି ରାଜ୍ୟ ମୁଖ୍ୟ ଶାସନ ସଚିବ ଓମ ପ୍ରକାଶଙ୍କୁ ଚିଠି ଲେଖିଛନ୍ତି। ଖାନ୍ନା କହିଛନ୍ତି ଯେ ,” ମିଡିଆ ରିପୋର୍ଟ ଜରିଆରେ ସେ ଜାଣିବାକୁ ପାଇଛନ୍ତି ଯେ ପତଞ୍ଜଳି ରାଜ୍ୟରେ କୋଭିଡ୍ କିଟ୍ ରେ କରୋନିଲ ସାମିଲ୍ ହେବାକୁ ଯାଉଛି ।” ସେ ଏହାର ବିରୋଧ କରି କହିଛନ୍ତି, ” କରୋନିଲ୍ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଫୁଡ୍ ସପ୍ଲିମେଣ୍ଟ ଭାବେ ମାନ୍ୟତା ପାଇଛି ଏବଂ ଏହା ରାମଦେବଙ୍କ ଦ୍ବାରା ଦାବି କରାଯାଉଥିବା କରୋନା ଔଷଧ ନୁହେଁ ବୋଲି କହିଛନ୍ତି । କରୋନିଲ୍ WHO, DGCI ଏବଂ ଆୟୁଷ୍ ବିଭାଗ ଠାରୁ ଅନୁମତି ପାଇ ନାହିଁ । ଏମିତିକି ଭାରତ ସରକାରଙ୍କ MHA ର କୋଭିଡ୍ ଗାଇଡଲାଇନରେ ମଧ୍ୟ ସ୍ଥାନ ପାଇନାହିଁ ବୋଲି ଆଇଏମଏ ଉତ୍ତରାଖଣ୍ଡ ସଭାପତି ଅଜୟ ଖାନ୍ନା କହିଛନ୍ତି। କୋଭିଡ୍ -19 ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା କରୋନିଲ ଫେବୃଆରୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଉପସ୍ଥିତିରେ ଲଞ୍ଚ୍ ହୋଇଥିଲା।

ଡକ୍ଟର ଖାନ୍ନା କହିଛନ୍ତି ଯେ, ଏଲୋପାଥି ଔଷଧ ସହିତ କରୋନିଲର ମିଶ୍ରଣ ‘ମିକ୍ସୋପାଥି’ ହେବ ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୁର୍ବେଦ ଏବଂ ଏଲୋପାଥିର ମିଶ୍ରଣ ଅନୁମତିପ୍ରାପ୍ତ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ଚିକିତ୍ସା ଆୟୋଗର ଧାରା ୩୪ ମଧ୍ୟ ‘ମିକ୍ସୋପାଥି’ କୁ ଅନୁମତି ଦିଏ ନାହିଁ। ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ଗତ କିଛି ଦିନ ହେବ ବାବା ରାମଦେବ ଓ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ବାବା ଏଲୋପାଥି ଡାକ୍ତରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏପରିକି ଏଲୋପାଥି ଔଷଧ ତୁଳନାରେ ଆୟୁର୍ବେଦ ଭଲ ବୋଲି କହିଥିଲେ । ଏପରିକି ଡାକ୍ତରଙ୍କ ମନୋବଳ ଭାଙ୍ଗିବା ଭଳି କିଛି କହିଥିବା ଅଭିଯୋଗ କରିଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ । ବାବା ରାମଦେବଙ୍କ ବିରୋଧରେ ୧୦୦୦ କୋଟିର ମାନହାନୀ ଓ ନିସର୍ତ୍ତ କ୍ଷମା ପ୍ରାର୍ଥନା ନେଇ ମଧ୍ୟ ମାମଲା ରୁଜୁ କରିଥିଲା ଆଇଏମଏ ।

Related Posts