ଶ୍ରୀମନ୍ଦିର ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଶେଷ

ପୁରୀ: ଆଜି ଶ୍ରୀଜୀଉଙ୍କ ନୀଳଦ୍ରି ବିଜେ । ଲୀଳାଖେଳା ସାରି ରତ୍ନ ସିଂହାସନ କୁ ଫେରିଯିବେ ମହାପ୍ରଭୁ । ତେବେ ମହାପ୍ରଭୁଙ୍କ ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ଶ୍ରୀମନ୍ଦିର ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଶେଷ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ବରିଷ୍ଠ ପ୍ରତ୍ନତତ୍ତ୍ୱ ଅଧିକ୍ଷକ ଚିତ୍ତରଞ୍ଜନ ଦାଶ କହିଲେ ଶ୍ରୀଜୀଉମାନେ ଶ୍ରୀମନ୍ଦିରରେ ଅନୁପସ୍ଥିତ ଥିବା ସମୟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଥିଲା। ଗର୍ଭଗୃହ କାନ୍ଥରୁ କଳା ସଫା କରାଯାଇ ରାସାୟନିକ ପ୍ରଲେପ ଦିଆଯାଇଛି। ଗରମ ବାମ୍ଫ ନିଷ୍କାସନ ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ନାଟମଣ୍ଡପ ଓ ଜଗମୋହନର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟରେ ଗ୍ରାଉଟିଂ (ତରଳ ପଦାର୍ଥ) କରାଯିବା ସହ କେତେକ ସ୍ଥାନରେ ପଥର ପରିବର୍ତ୍ତନ କରାଯାଇଛି।

ସେ କହିଛନ୍ତି, କଳାହାଟ ଦୁଆର ରୂପା ଛାଉଣି କାର୍ଯ୍ୟ ଶେଷ ହୋଇଛି। କେତେକ ପାର୍ଶ୍ବ ମନ୍ଦିର ମରାମତି କାର୍ଯ୍ୟ ଶେଷ ହୋଇଛି। ନାଟ ମଣ୍ଡପ ଗରୁଡ ସ୍ତମ୍ଭ ଉପରେ ଦୁର୍ବଳ ହୋଇପଡ଼ିଥିବା ବିମ୍‍ର ସ୍ଥିତିକୁ ଯାଞ୍ଚ କରାଯାଇଛି। ସେହିପରି କେତେକ ସ୍ଥାନରେ ଚଟାଣ ପଥର କ୍ଷୟ ହୋଇଥିବାରୁ ସେ ଗୁଡିକୁ ପରିବର୍ତ୍ତନ କରାଯିବାକୁ ସ୍ଥିର ହୋଇଛି। ନୀଳାଦ୍ରି ବିଜେ ପୂର୍ବରୁ ରୋଷଘର ଚଟାଣ ମରାମତି କରାଯିବାକୁ ଯାଞ୍ଚକାରୀ ବିଶେଷଜ୍ଞ ଦଳ ପରାମର୍ଶ ଦେଇଥିଲେ। ତାହାକୁ ଭିତ୍ତି କରି ଏଏସଆଇ ପକ୍ଷରୁ ରୋଷଘର ଚଟାଣ ମରାମତି କରାଯାଇଛି। ଜଗମୋହନ ଓ ନାଟ ମଣ୍ଡପର ସ୍ଥିତି ସୁରକ୍ଷିତ ରହିଛି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ବାର୍ଷିକ ମରାମତି ଓ ରକ୍ଷଣାବେକ୍ଷଣ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ରଥଯାତ୍ରା ସମୟରେ ଚାଲିଥିବା ମରାମତି କାର୍ଯ୍ୟକୁ ଏଏସଆଇର କେତେକ ବରିଷ୍ଠ ଅଧକାରୀ ତଦାରଖ କରିଥିଲେ।

Related Posts