ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ହତ୍ୟାର ପ୍ରତିଶୋଧ ନେଇଛି ଭାରତୀୟ ସେନା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୨ ଜଣ ଆତଙ୍କୀ। ଜମ୍ମୁ-କଶ୍ମୀରର ଶୋପିଆନରେ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏପରି ସଫଳତା। ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣେ ଜୁନ୍ ୨ରେ କୁଲଗାମ ଠାରେ ବିଜୟଙ୍କୁ ବ୍ୟାଙ୍କ ଭିତରେ ପଶି ଗୁଳି ମାଡ଼ କରିଥିଲା। କଶ୍ମୀର ଜୋନ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶୋପିଆନର କାଞ୍ଜିଉଲାର ଅଞ୍ଚଳରେ ମଙ୍ଗଳବାର ରାତିରେ ଏନକାଉଣ୍ଟର ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ନିହତ ଦୁଇ ଆତଙ୍କୀ ହେଲେ ଜାନ ମହମ୍ମଦ ଲୋନ ଓ ତା’ ସହଯୋଗୀ ତୁଫୈଲ ଗୁନାଇ।

ଉଭୟ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ପାଇଁ କାମ କରୁଥିଲେ। ଶୋପିଆନରେ ରହୁଥିବା ଲୋନ ଜୁନ୍ ୨ରେ କୁଲଗାମରେ ଥିବା ଗୋଟିଏ ବ୍ୟାଙ୍କରେ ପଶି ମ୍ୟାନେଜର ବିଜୟ କୁମାରଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ସାମିଲ ଥିଲା। ସେହିପରି କୁଲଗାମର କୁଜାର ଗାଁରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରିଥିବା ବେଳେ ୨ ଜଣ ଆତଙ୍କୀ ସେଠାରେ ଲୁଚି ରହିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ସ୍କୁଲ ଶିକ୍ଷକ ରଜନୀ ବାଲାଙ୍କୁ ହତ୍ୟା କରିଥିବା ଜଣେ ଆତଙ୍କୀ ରହିଛି। ଜୁନ ୮ରେ କୁଲଗାମର ଗୋପାଲପୋରା ଅଞ୍ଚଳରେ ୩୬ ବର୍ଷୀୟ ରଜନୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ।