ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଇଣ୍ଡିଆନ୍ ପ୍ରମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସିଜିନ ପାଇଁ ଡିସେମ୍ବର ୨୩ ତାରିଖରେ କୋଚିଠାରେ ଏକ ଛୋଟ ନିଲାମ ହେବ। ଫ୍ରାଞ୍ଚାଇଜ୍ଗୁଡ଼ିକ ଆଗାମୀ ସଂସ୍କରଣ ଲାଗି କେଉଁ ଖେଳାଳିଙ୍କୁ ନିଜ ପାଖରେ ରଖିବେ ଏବଂ ଛାଡ଼ିବେ ତାହାର ତାଲିକା ଦେବାର ଶେଷ ତାରିଖ ଡିସେମ୍ବର ୧୫ ରହିଛି। ଏଥିଲାଗି ଫ୍ରାଞ୍ଚାଇଜ୍ଗୁଡ଼ିକ ନିଜ ନିଜ କାର୍ଯ୍ୟ ଜାରି ରଖିଛନ୍ତି। ଛାଡ଼ିଥିବା ଖେଳାଳି ଏବଂ କିଛି ନୂଆ ଖେଳାଳିଙ୍କୁ ନେଇ ଏହି ଛୋଟ ନିଲାମ କରାଯିବ। ଏଥିସହ ଦଳଗୁଡ଼ିକୁ ଆଉ ଅଧିକ ୫ କୋଟି ଟଙ୍କା ଖର୍ଚ୍ଚ କରିବାର ଅନୁମତି ମିଳିଯାଇଛି। ଫଳରେ ଫ୍ରାଞ୍ଚାଇଜ୍ଗୁଡ଼ିକର ବଜେଟ ୯୦ରୁ ୯୫ କୋଟି ଟଙ୍କାକୁ ବୃଦ୍ଧି ହୋଇଛି।
ଗତ ବର୍ଷ ନିଲାମ ପରେ ପଞ୍ଜାବ କିଙ୍ଗ୍ସ ନିକଟରେ ସର୍ବାଧିକ ଟଙ୍କା (୩.୪୫ କୋଟି) ବଞ୍ଚିଥିଲା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ସବୁ ଟଙ୍କା ଶେଷ ହୋଇଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ ନିକଟରେ ୨.୯୫ କୋଟି ବଳକା ଥିଲା ବେଳେ ଏହା ପଛକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୧.୫୫ କୋଟି), ରାଜସ୍ଥାନ ରୟାଲ୍ସ (୯୫ ଲକ୍ଷ), କୋଲ୍କାତା ନାଇଟ୍ ରାଇଡର୍ସ (୪୫ ଲକ୍ଷ), ଗୁଜରାଟ ଟାଇଟନ୍ସ (୧୫ ଲକ୍ଷ) ରହିଛନ୍ତି। ଅନ୍ୟ ୩ ଦଳ ମୁମ୍ବାଇ ଇଣ୍ଡିଆନ୍ସ, ସନ୍ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୧୦ ଲକ୍ଷ ଟଙ୍କା ଲେଖାଏଁ ରହିଛି।