ଆଇପିଏଲ୍‌ ୨୦୨୨; ସବୁଠାରୁ ଅଧିକ ଦର୍ଶକଙ୍କୁ ଫାଇନାଲ ମ୍ୟାଚ୍ ଦେଖାଇ ଗିନିଜ ୱାର୍ଲ୍ଡ ରେକର୍ଡ କଲା ବିସିସିଆଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦ୍ୱିତୀୟ ଥର ଗିନିଜ ୱର୍ଲ୍ଡ ରେକର୍ଡ଼ରେ ସାମିଲ୍‌ ହୋଇଛି ବିସିସିଆଇ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୨ ଫାଇନାଲ୍‌ରେ ସର୍ବାଧିକ ଦର୍ଶକ ପାଇଁ ରବିବାର ବିସିସିଆଇ ସମ୍ପାଦକ ଜୟ ଶାହ ଗିନିଜ ୱାର୍ଲ୍ଡ ରେକର୍ଡ଼ ମାନପତ୍ର ଗ୍ରହଣ କରିଛନ୍ତି । ଗତ ମେ’ ମାସ ୨୯ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ୍‌ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ଫାଇନାଲ୍‌ ମ୍ୟାଚ୍ ଖେଳାଯାଇଥିଲା ।

ରେକର୍ଡ଼ ୧,୦୧,୫୬୬ ଦର୍ଶକ ଷ୍ଟାଡିୟମରେ ବସି ଏହି ମ୍ୟାଚ୍‌ ଦେଖିଥିଲେ । ତେବେ କୌଣସି ଟି-ଟ୍ୱେଣ୍ଟି ଫର୍ମାଟ କ୍ରିକେଟ ମ୍ୟାଚ୍‌ରେ ଏହା ସର୍ବାଧିକ ଦର୍ଶକ ରେକର୍ଡ଼ ରହିଥିଲା । ବିସିସିଆଇ ଟ୍ୱିଟରରେ ସମ୍ପାଦକ ଶ୍ରୀ ଶାହା ଗିନିଜ ୱାର୍ଲ୍ଡ ରେକର୍ଡ଼ ଗ୍ରହଣ କରୁଥିବାର ଏକ ଫଟୋ ଛାଡ଼ି ଏହି ବିଷୟରେ ସୂଚନା ଦେଇଛନ୍ତି ।

ଏଥିରେ ଲେଖା ହୋଇଛି ଯେ, ସମସ୍ତ ଭାରତୀୟଙ୍କ ପାଇଁ ଏହା ଏକ ବଡ଼ ମୁହୂର୍ତ୍ତ । ଭାରତ ଗିନିଜ ୱାର୍ଲ୍ଡ ରେକର୍ଡ଼ ବୁକ୍‌ରେ ସ୍ଥାନ ପାଇଛି । ସମସ୍ତ ପ୍ରଶଂସକ ଏବଂ ଦର୍ଶକଙ୍କର ଅତୁଟ ସମର୍ଥନ ଏବଂ କ୍ରିକେଟ୍‌ ପ୍ରତି ଭଲପାଇବା ଯୋଗୁ ଏହା ସମ୍ଭବ ହୋଇପାରିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମ ଏବଂ ଆଇପିଏଲ୍‌କୁ ଶୁଭେଚ୍ଛା ଜଣାଉଛି । ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ସର୍ବାଧିକ ଦର୍ଶକ ରେକର୍ଡ଼ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ଼ ପୁରସ୍କାର ଗ୍ରହଣ କରିଥିବାରୁ ନିଜକୁ ଗର୍ବିତ ମନେ କରୁଛି ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍‌ ପଦାର୍ପଣର ପ୍ରଥମ ସିଜିନ ରେ ଗୁଜରାଟ ଚାମ୍ପିଅନ୍‌ ହେବାର ଗୌରବ ଅର୍ଜନ କରିଥିଲା । ଦଳ ଫାଇନାଲ୍‌ରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇଥିଲା । ତେବେ ଆଇପିଏଲ୍‌ ଫାଇନାଲ୍‌ ପୂର୍ବରୁ ବିସିସିଆଇ ସବୁଠୁ ବଡ଼ ଜର୍ସି ପ୍ରସ୍ତୁତ କରି ଗିନିଜ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଥିଲା । ଏହି ଜର୍ସିରେ ୧୦ଟି ଯାକ ଆଇପିଏଲ୍‌ ଦଳର ଲୋଗୋ ରହିଥିଲା । ଏହି ଜର୍ସିର ଆକାର ୨,୭୭୨ ମିଟର ରହିଥିଲା

Related Posts