ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉନିର୍ବାଚନ ପୂର୍ବରୁ ଏବେ ରାଜନୈତିକ ବାତାବରଣକୁ ଅଧିକ ଉଷ୍ମ କରିଛି କେନ୍ଦ୍ରୀୟ ଟିମର ରେଡ୍ । ଆଜି ଭୋରୁ ପଦ୍ମପୁରର ୩ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଏକକାଳୀନ ଚଢ଼ାଉ ଜାରି ରଖିଛି । ସଶସ୍ତ୍ର ସିଆରପିଏଫ ଯବାନଙ୍କ ଉପସ୍ଥିତିରେ ଚାଲିଛି ରେଡ୍ । ନିର୍ବାଚନ ସମୟରେ ଏହି ରେଡ୍ ହେଉଥିବାରୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି ବିଜେଡି । ପଦ୍ମପୁରରେ ପରାଜିତ ହେବା ଭୟରେ ବିଜେପି କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ ।

ବିଜେଡି ଅନୁଗତ ଓ ସମର୍ଥକଙ୍କ ଘରେ ଆଇଡି ରେଡ କରି ଭୟଭୀତ କରିବାକୁ ବିଜେପି ଏମିତି କରୁଥିବା କଥା କହିଛନ୍ତି ସୁଶାନ୍ତ । ପଦ୍ମପୁରରେ ବିଜେଡିର ବିଜୟ ସୁନିଶ୍ଚିତ ସେଥିପାଇଁ ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି । ପଦ୍ମପୁରରେ କେନ୍ଦ୍ରୀୟ ସଂସ୍ଥାକୁ ଧରି ଭୟର ବାତାବରଣ ସୃଷ୍ଟି କରିବାକୁ ବିଜେପି ଚାହୁଁଛି । କିନ୍ତୁ ପଦ୍ମପୁରବାସୀ ଏହାକୁ ନେଇ କେବେ ଭୟଭୀତ ହେବେ ନାହିଁ ବୋଲି ସୁଶାନ୍ତ କହିଛନ୍ତି।

ତେବେ ଏହି ରେଡକୁ ନେଇ ଏବେ ବିଜେଡି ଅନେକ ପ୍ରଶ୍ନ ଉଠାଇଛି। ଦଳ କହିଛି ଯେ, ଭୋଟ ହେବାର ୭ ଦିନ ପୂର୍ବରୁ କାହିଁକି ରେଡ୍ ହେଲା ? ଉପ-ନିର୍ବାଚନ ପୂର୍ବରୁ କାହିଁକି ତତ୍ପର ହେଲା କେନ୍ଦ୍ରୀୟ ସଂସ୍ଥା ? ଏଭଳି କରି ପଦ୍ମପୁରବାସୀଙ୍କୁ ଭୟଭୀତ କରିବାକୁ ଚାହୁଁଛି ବିଜେପି ?
ପରାଜୟ ଭୟରେ ବିଜେପି ରେଡ କରାଉଛି । ବିଜେପି ନିଜକୁ ଦୁର୍ବଳ ମନେ କରୁଛି, ସେଥିପାଇଁ ଏହି ରେଡ୍ କରାଉଛି ବୋଲି ବିଜେଡ଼ି କହିଛି।