ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ ଆସନ୍ତାକାଲି ବିଜେପିର ୧୨ ଘଣ୍ଟିଆ କଟକ ବନ୍ଦ ଡାକରା

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗକୁ ନେଇ ବିବାଦ ତୀବ୍ର ରୂପ ନେଉଛି। ସରକାରଙ୍କ ଏହି ନିଷ୍ପତ୍ତିକୁ କଟକର ପୂଜା କମିଟିଗୁଡ଼ିକ ବିରୋଧ କରୁଥିବାବେଳେ ଆସନ୍ତକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଏହି ସୂଚନା ଦେଇଛନ୍ତି। 

ତେବେ ବନ୍ଦ ସମୟରେ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି। ବନ୍ଦ ସୋମବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରାଯିବ। ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଉପାୟରେ ବନ୍ଦ ପାଳନ କରାଯିବ ଓ ଜଳାପୋଡ଼ା ଓ ରାସ୍ତାରୋକ କରାଯିବ ନାହିଁ । ବନ୍ଦରେ ସାମିଲ ହେବା ପାଇଁ ମାଲଗୋଦାମ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଆହ୍ବାନ ଦେଇଛି ବିଜେପି । ବନ୍ଦ ସମୟରେ ଜରୁରିକାଳୀନ ସେବାଗୁଡ଼ିକ ଜାରି ରହିବ ।

ତେବେ କଟକର ପୂଜା କମିଟି ଗୁଡ଼ିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ସରକାରଙ୍କୁ ଅନୁରୋଧ କରାଯାଇଥିବା ସତ୍ତ୍ୱେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରେ ରଖିବାକୁ କହି ସରକାର ତାଙ୍କ ପୂର୍ବ ନିଷ୍ପତ୍ତିରେ କାଏମ ରହିଛନ୍ତି। ଏହା ଦ୍ୱାରା କଟକର ମୁରବିଙ୍କୁ ସରକାର ଅପମାନିତ କରିଛନ୍ତି ବୋଲି ବିଜେପି ନେତା ସମୀର ଦେ କହିଛନ୍ତି।

ସେ କହିଛନ୍ତି, କଟକ ସହରର ମୁରବି ମାନଙ୍କର ସମ୍ମାନ ଦୃଷ୍ଟିରୁ ଆମେ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଇଛୁ। ବର୍ଷକରେ ୧୦ ମାସ ସରକାର ଶାସନ କରନ୍ତି। କିନ୍ତୁ ଗଣେଶ ପୂଜା ଠାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବି ମାନେ କଟକ ସହରର ଦାୟିତ୍ୱ ନିଜ କାନ୍ଧକୁ ନିଅନ୍ତି ବୋଲି ସେ କହିଛନ୍ତି । ସେମାନଙ୍କୁ ସରକାର ଭୁବନେଶ୍ୱର ଡାକିଲେ, କିନ୍ତୁ ସେମାନଙ୍କ କଥା ଶୁଣିଲେ ନାହିଁ। ଏପରି କରି ସରକାର ସେମାନଙ୍କୁ ଅପମାନିତ କରିଛନ୍ତି। ସେଥିପାଇଁ ଭାରତୀୟ ଜନତା ପାର୍ଟି ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ସେ କହିଛନ୍ତି। 

ସୂଚନାଯୋଗ୍ୟ ଯେ, ପାର୍ବଣ ଋତୁରେ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗତ କାଲି ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ହୋହଲ୍ଲା ହୋଇଥିଲା । ଅପରପକ୍ଷରେ ଏହି ପ୍ରସଙ୍ଗରେ କଟକର ଦୁଇ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଏବଂ କଟକ  ସାସଂଦ ଭର୍ତ୍ତୃହରି ମହତାବ ମୁହାଁମୁହିଁ ହୋଇଛନ୍ତି। 

Related Posts