(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେପି ଟିଏମସି ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ପ୍ରଥମେ ପଶ୍ଚିମବଙ୍ଗରେ ଉଭୟ ଦଳ ପରସ୍ପର ମୁହାଁମୁହିଁ ହୋଇଥିବା ବେଳେ ଏବେ ତ୍ରିପୁରାରେ ଶାସକ ଭାରତୀୟ ଜନତା ପାର୍ଟି ସହ ଟିଏମସିର ତିକ୍ତତା ଦେଖିବାକୁ ମିଳୁଛି। ଗତ କିଛିଦିନ ହେବ ହିଂସା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ତ୍ରିପୁରାର (
ବିଜେପି ବିଧାୟକ ଅରୁଣ ଚନ୍ଦ୍ର ଭୋମିକ କହିଛନ୍ତି ଯେ ଯଦି ଟିଏମସି ନେତା ଅଗରତାଲା ବିମାନବନ୍ଦରରେ ପହଞ୍ଚନ୍ତି ତେବେ ତାଙ୍କ ଦଳର କର୍ମୀମାନେ ତାଙ୍କୁ ତାଲିବାନ ଷ୍ଟାଇଲରେ ଲଢିବାକୁ ପଡ଼ିବ। ତେବେ ବିଜେପି ଏହି ବୟାନକୁ ବିଧାୟକଙ୍କ ନିଜସ୍ବ ମନ୍ତବ୍ୟ କହି ଦଳକୁ ବୟାନ ଠାରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଛି।
ତ୍ରିପୁରାରେ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନରେ ଟିଏମସି ନିର୍ବାଚନ ଲଢିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସମେତ ଦଳର ନେତାମାନେ ତ୍ରିପୁରା ଗସ୍ତ କରୁଛନ୍ତି ।
ତେବେ ବେଲୋନିଆ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଅରୁଣ ଚନ୍ଦ୍ର ଭୋମିକ କହିଛନ୍ତି ଯେ ଟିଏମସି ତ୍ରିପୁରାର ବିପ୍ଲବ କୁମାର ଦେବଙ୍କ ନେତୃତ୍ୱାଧୀନ ସରକାରକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଏହି ସବୁ ଘଟୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ବୁଧବାର ଦକ୍ଷିଣ ତ୍ରିପୁରା ଜିଲ୍ଲାର ବେଲୋନିଆ ଟାଉନ ହଲରେ ଯୋଗ ଦେଇଥିବା କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ପ୍ରତୀମା ଭୋମିକଙ୍କ ସମ୍ବର୍ଦ୍ଧନା ସମାରୋହରେ ଅରୁଣ ଚନ୍ଦ୍ର ଭୋମିକ ଏହି ମନ୍ତବ୍ୟ ଦେଇଛନ୍ତି।
ତାଙ୍କର ଏହି ବୟାନ ଏବେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ବିଧାୟକଙ୍କୁ କଡା ସମାଲୋଚନା କରିଛନ୍ତି। ଏହି ମନ୍ତବ୍ୟ ଉପରେ ରାଜ୍ୟ ଟିଏମସି ନେତା ସୁବାଲ ଭୋମିକ ବିଜେପି ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ବିଜେପି ମୁଖପାତ୍ର ସୁବ୍ରତ ଚକ୍ରବର୍ତ୍ତୀ କହିଛନ୍ତି ଯେ ଅରୁଣ ଚନ୍ଦ୍ର ଭୋମିକଙ୍କ ବିବୃତ୍ତି ତାଙ୍କର ନିଜସ୍ୱ ବିବୃତ୍ତି ଏବଂ ଦଳର ଏହା ସହିତ କୌଣସି ସମ୍ପର୍କ ନାହିଁ। ଏହା ବିଜେପିର ସଂସ୍କୃତି ନୁହେଁ ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ଅରୁଣ ଚନ୍ଦ୍ର ଭୋମିକ କହିଛନ୍ତି ଯେ ଟିଏମସି ତ୍ରିପୁରାରେ ବିଜେପି ସରକାରକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ମୁଁ ତାଲିବାନ ଶବ୍ଦ ବ୍ୟବହାର କରିଛି। ‘ତାଲିବାନ’ ଶବ୍ଦର ବ୍ୟବହାର ହୁଏତ ଏକ ଦୃଢ ବାର୍ତ୍ତା ଦେଇଥାଇପାରେ, କିନ୍ତୁ ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ ସେମାନଙ୍କୁ କିପରି ପ୍ରତିହତ କରାଯିବ।