
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ବିଜେପିରେ ଦଳୀୟ କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଛି। ଗତ କିଛିଦିନ ହେବ ଦଳର ନେତା ପରସ୍ପର ବିରୋଧରେ ବୟାନ ଦେଉଛନ୍ତି। ଅନ୍ୟ ଦଳ ଛାଡି ବିଜେପିକୁ ଆସିଥିବା ନେତାଙ୍କୁ ନେଇ ଦଳର ପୁରୁଣା କର୍ମୀ ଓ ନେତା ଅସନ୍ତୋଷ ପ୍ରକାଶ କରୁଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳରେ ପ୍ରାଧାନ୍ୟ ଦିଆଯାଉଥିବା ଦେଖି ଦଳର ଅନେକ ନେତା ବିରୋଧ ପ୍ରକାଶ କରୁଛନ୍ତି । ନନ୍ଦିଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ସତ୍ତ୍ୱେ ଦଳ କିନ୍ତୁ ବେଙ୍ଗଲ କୁ ନେଇ ଯେଉଁ ଦାବି କରି ଆସୁଥିଲା ତାହା ହୋଇ ପାରିଲା ନାହିଁ।
ତେବେ ରାଜ୍ୟରେ ବିଜେପିର ଏହି ପରାଜୟ ପାଇଁ ଶୁଭେନ୍ଦୁ ବର୍ତ୍ତମାନ ଦଳର ନେତାମାନଙ୍କୁ ଦାୟୀ କରିଛନ୍ତି। ରାଜ୍ୟରେ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ‘ଅତ୍ୟଧିକ ଆତ୍ମବିଶ୍ୱାସ’ ଏବଂ କିଛି ନେତାଙ୍କ ଉପରେ ଅତ୍ୟଧିକ ବିଶ୍ୱାସ କାରଣରୁ ହାରିଛି। ସେ କହିଛନ୍ତି ଯେ ଦଳର ଅନେକ ନେତା ନିଶ୍ଚିତ ହୋଇଯାଇଥିଲେ ଯେ ବିଜେପି ୧୭୦ ରୁ ଅଧିକ ସିଟ୍ ଜିତିବାକୁ ଯାଉଛି, କିନ୍ତୁ ଗ୍ରାଉଣ୍ଡରେ ସ୍ଥିତି କଣ ରହିଛି ତାହାରି ଉପରେ କେହି ଧ୍ୟାନ ଦେଇନାହାଁନ୍ତି।
ପୂର୍ବ ମେଦିନାପୁର ଜିଲ୍ଲାର ଚଣ୍ଡିପୁର ଅଞ୍ଚଳରେ ଦଳର ଏକ ବୈଠକରେ ଶୁଭେନ୍ଦୁ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅତ୍ୟଧିକ ଆତ୍ମବିଶ୍ୱାସ ହେତୁ ରାଜ୍ୟରେ ଦଳର ସ୍ଥିତିକୁ ବୁଝିବାରେ ଭୁଲ ହୋଇଛି।
ଗତ ବର୍ଷ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ “ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟରେ ଆମେ ଭଲ ପ୍ରଦର୍ଶନ କରିଥିଲୁ, କିନ୍ତୁ ଆମର ଅନେକ ନେତା ଆତ୍ମସନ୍ତୋଷ ଓ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇ ଯାଇଥିଲେ। ସେମାନେ ନିଶ୍ଚିତ ହୋଇ ଯାଇଥିଲେ ଯେ ବିଜେପି ୧୭୦-୧୮୦ ଟି ଆସନ ଜିତିବାକୁ ଯାଉଛି, କିନ୍ତୁ ସେମାନେ ବାସ୍ତବ ସ୍ଥିତିକୁ ଜାଣିବାରେ ଅକ୍ଷମ ହୋଇଥିଲେ । ଫଳରେ ଦଳକୁ ବହୁ ମୂଲ୍ୟ ଦେବାକୁ ପଡିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଲକ୍ଷ୍ୟ ସ୍ଥିର କରିବା ସହିତ ଗ୍ରାଉଣ୍ଡ ସ୍ତରରେ ମଧ୍ୟ କାମ କରିବା ଆବଶ୍ୟକ, ଯେଉଁଥିପାଇଁ କଠିନ ପରିଶ୍ରମ ଆବଶ୍ୟକ।
ଅଧିକାରୀଙ୍କ ବିବୃତ୍ତିରେ ଜବାବ ଦେଇ ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ,” ବିଜେପି ମିଥ୍ୟା ଖୁସି ପାଳନ କରୁଥିଲା । ତାଙ୍କ ଦଳର ଅନେକ ନେତା ପୂର୍ବାନୁମାନ କରିଥିଲେ ଯେ ଦଳ ୨୦୦ ରୁ ଅଧିକ ଆସନ ଜିତିବ। ସେ (ଶୁଭେନ୍ଦୁ) କାହିଁକି ଅନ୍ୟମାନଙ୍କୁ ଭୁଲ୍ କହୁଛନ୍ତି ? ସେ ନିଜେ ବାରମ୍ବାର କହି ନାହାଁନ୍ତି କି ତାଙ୍କ ଦଳ ଅତି କମରେ ୧୮୦ ଟି ଆସନ ଜିତିବ ? “
ଗତ କିଛିଦିନ ତଳେ ବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ଦିଲ୍ଲୀ ଗସ୍ତରେ ଯାଇଥିଲେ।ମିଳିଥିବା ସୂଚନା ମୁତାବକ ସେ ଶୀର୍ଷ ନେତୃତ୍ୱଙ୍କୁ ସ୍ପଷ୍ଟ ଭାବେ କହିଥିଲେ ଯେ, ବାହାରୁ ଆସୁଥିବା ନେତାଙ୍କୁ ଦଳରେ ହଠାତ୍ କୌଣସି ପଦ ପଦବୀ ଦେଲେ ଦଳର ପୁରୁଣା କର୍ମୀ ଓ ନେତା ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏପଟେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିବା ପରେ ବାବୁଲ ସୁପ୍ରିୟୋ ମଧ୍ୟ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରି ଥିଲେ।