
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୌର ନିର୍ବାଚନକୁ ରାଜ୍ୟ ସରକାର ଦୀର୍ଘ ୩ବର୍ଷ ଧରି ଗଡ଼େଇ ଆସୁଛନ୍ତି। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନକୁ ଏକା ସାଙ୍ଗରେ କରିବା ପାଇଁ ଦାବି କରିଛି ରାଜ୍ୟ ବିଜେପି । ଏ ନେଇ ବିଜେପି ପ୍ରତିନିଧିଦଳ ମଙ୍ଗଳବାର ଦିନ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ବିଜେପି କହିଛି ଯେ, ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ। କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ପୌର ନିର୍ବାଚନ ହୋଇପାରି ନାହିଁ
୭୪ତମ ସମ୍ବିଧାନ ସଂଶୋଧନ ଆଧାରରେ କ୍ଷମତାର୍ପିତ ଜନତା ଓ ଉତ୍ତରଦାୟୀ ତୃଣମୂଳ ସରକାରର ଭୂମିକାକୁ ସଙ୍କୁଚିତ କରାଯାଇ ସାମୁହିକ ଶାସନ ଓ ସାମୁହିକ ବିକାଶ ପ୍ରକ୍ରିୟାକୁ ବ୍ୟର୍ଥ କରିବାରେ ଉଭୟ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କର ମଧୁଚନ୍ଦ୍ରିକା ଜାରି ରହିଛି ।
ବିଜେପି ଅଭିଯୋଗ କରିଛି ଯେ ପରାଜୟ ଆଶଙ୍କାରେ ଆତଙ୍କିତ ସରକାର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାତବାରେସୀ କରି ଜନ ସାଧାରଣଙ୍କୁ ଦିଆଯାଇଥିବା କ୍ଷମତାର ଦୁରୁପଯୋଗ କରି ରାଜ୍ୟରେ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ଜାରି ରଖିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାବେଳେ ଏବଂ ରାଜ୍ୟ ସରକାରଙ୍କର ଅଭ୍ୟାସଗତ ଅସହଯୋଗକୁ ପ୍ରତିହତ କରିବା ପାଇଁ କିଶାନ ସିଂ ତୋମାର ମାମଲା (ସୁପ୍ରା) ୨୦୦୬ ଅନୁଯାୟୀ ନିର୍ବାଚନ ଆୟୋଗ କୋର୍ଟଙ୍କ ଦ୍ୱାରସ୍ଥ ନହୋଇ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି।
ଦଳ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ସ୍ୱାୟତ ଶାସନ ଏବେ ଅଣାୟତ ହୋଇ ସଂପୂର୍ଣ୍ଣ ଅମଲାତନ୍ତ୍ରିକ ଶାସନରେ ପରିଣତ ହୋଇଛି । ଏଣୁ ରାଜ୍ୟ ନିର୍ବାଚନ ଆୟୋଗ ଏକା ସାଙ୍ଗରେ ଉଭୟ ପୌର ଓ ପଂଚାୟତ ନିର୍ବାଚନ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି ।
ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛି ଯେ, ” କୁମ୍ଭକର୍ଣ୍ଣ ନିଦ ଶୋଇଥିବା ଗଣତନ୍ତ୍ର ହତ୍ୟାକାରୀ ଓଡିଶା ସରକାର ଦୀର୍ଘ ୩ ବର୍ଷ ଧରି ରାଜ୍ୟରେ ବିଜ୍ଞପିତ ଅଂଚଳ ପରିଷଦ ଓ ପୌରାଚଂଳ ମାନଙ୍କରେ ନିର୍ବାଚିତ ଜନ ପ୍ରତିନିଧି ନଥିବାରୁ ଓଡିଶାର ସହରାଚଂଳବାସୀ ଉପଯୁକ୍ତ ପ୍ରଶାସନିକ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ତୃଣମୂଳ ସରକାରକୁ ସୁଦୃଢ ଓ ଶକ୍ତିଶାଳୀ କରିବା ପାଇଁ ସାମ୍ବିଧାନିକ ବିଧି ଆଧାରରେ କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟସେବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ପ୍ରଦାନ କରୁଥିବାବେଳେ ଅସାଧୁ ଅଧିକାରୀ ମାନଙ୍କ ଅବାଂଛିତ ନିୟନ୍ତ୍ରଣ ତଥା ଅତ୍ୟାଧିକ ଅମଲାତନ୍ତ୍ରିକ ହସ୍ତକ୍ଷେପ ଯୋଗୁଁ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇପାରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି।
ବିଜେପି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ” ରାଜ୍ୟ ସରକାରଙ୍କ ମାତ୍ରାଧିକ ଅମଲାତନ୍ତ୍ରିକ ନିୟନ୍ତ୍ରଣ ଗଣତନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ଚରମ ଉପହାସ କହିଲେ ଅତୁକ୍ତି ହେବ ନାହିଁ । ରାଜ୍ୟ ସରକାରଙ୍କ ଅନିଚ୍ଛା ବିରୁଦ୍ଧରେ ୭ଦିନ ସୁଦ୍ଧା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ବିଜେପି କହିଛି। ଯଦି ନିର୍ବାଚନ ଆୟୋଗ ପୌର ନିର୍ବାଚନ କରାଇବା ପାଇଁ ସରକାରଙ୍କ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ନହେବେ ତା’ହେଲେ ବିଜେପି ଆଗାମୀ ଦିନରେ ଆଇନର ସାହାଯ୍ୟ ନେବା ସହ ସାମ୍ବିଧାନିକ ବିଧି ଆଧାରରେ ମହାଅଭିଯୋଗ ପାଇଁ ସଂସଦରେ ପ୍ରସ୍ତାବ ଆଣିବ ବୋଲି ଶ୍ରୀ ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି।
ଲୋକସଭା ଓ ବିଧାନସଭା ଭଳି ପୌର ଏବଂ ପଂଚାୟତ ନିର୍ବାଚନ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଫଳଶ୍ରୃତି ଏବଂ ରାଜ୍ୟ ନିର୍ବାଚନ ଆୟୋଗ ସଂପୃକ୍ତ ବିଧି ବ୍ୟବସ୍ଥାକୁ ପ୍ରତିପାଳନ କରିବାକୁ ବାଧ୍ୟ ବୋଲି ବିଜେପି କହିଛି । କିନ୍ତୁ ରାଜ୍ୟ ନିର୍ବାଚନ ଆୟୋଗ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଘଂନ କରି ରାଜ୍ୟ ସରକାରଙ୍କ ଇସାରାରେ କାର୍ଯ୍ୟ କରୁଥିବାରୁ ବିଜେପିର ପ୍ରତିନିଧୀ ଦଳ ମଙ୍ଗଳବାର ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ ଆଲୋଚନା କରିବା ସହିତ ଜନଅସନ୍ତୋଷକୁ ଉପସ୍ଥାପନ କରିଥିଲେ ଏବଂ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସର୍ତକ ଓ ସଚେତନ କରାଇଥିଲେ ।
ଏହି ପ୍ରତିନିଧି ଦଳରେ ବିଧାୟକ ପ୍ରକାଶ ସୋରେନ୍, ବିଜେପି ନେତା ଗୋଲକ ମହାପାତ୍ର, ଠାକୁର ରଞ୍ଜିତ ଦାସ, ଜଗନ୍ନାଥ ପ୍ରଧାନ, ଶଙ୍କର ପରିଡ଼ା, ଉର୍ମିଳା ମହାପାତ୍ର, ଲତିକା ପ୍ରଧାନ, ପ୍ରଶାନ୍ତ ଆଦିତ୍ୟ ପ୍ରମୁଖ ସାମିଲ ଥିଲେ ।