
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ବାସବରାଜ ବୋମାଇ । ବିଜେପି ବିଧାୟକ ଦଳ ବୈଠକରେ ବୋମାଇଙ୍କ ନାଁ ରେ ବାଜିଲା ମୋହର । ତାଙ୍କ ବୟସ ହେଉଛି ୬୧ ବର୍ଷ, ସେ ଲିଙ୍ଗାୟତ ସମ୍ପ୍ରଦାୟରୁ ଆସନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ବୋମାଇଙ୍କ ନାଁ ପ୍ରସ୍ତାବ ଦେଇଥିଲେ ।
କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ପର୍ଯ୍ୟବେକ୍ଷକ ଥିବା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବୋମାଇଙ୍କ ନାଁ ଘୋଷଣା ହୋଇଛି। ବାସବରାଜ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ଆର୍ ବୋମାଇଙ୍କ ପୁଅ । ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ଗୃହମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ ବୋମାଇ ।
ବି ଏସ ୟେଦୁରପ୍ପା ଗତକାଲି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୨୬ ଜୁଲାଇରେ ୟେଦୁରପ୍ପା ସରକାରଙ୍କୁ ଦୁଇ ବର୍ଷ ପୂରଣ ହେବା ପରେ ସେ ଇସ୍ତଫା ଦେଇଥିଲେ । ଗତକାଲି ତାଙ୍କ ଇସ୍ତଫା ପରେ ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ପରେ ୟେଦ୍ୟୁରପ୍ପା କହିଥିଲେ, କର୍ଣ୍ଣାଟକର ଲୋକଙ୍କ ପାଇଁ ତାଙ୍କର ଅନେକ କିଛି କରିବାର ଅଛି । ଇସ୍ତଫା ଘୋଷଣା କରିବା ସମୟରେ ସେ ଭାବପ୍ରବଣ ହୋଇଯାଇଥିଲେ ୟେଦୁରପ୍ପା । ସବୁବେଳେ ଅଗ୍ନିପରୀକ୍ଷା ଦେଇ ଗତି କରିବାକୁ ପଡ଼ୁଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପ୍ରଥମ ଦିନରୁ ତାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ସୂଚନାଯୋଗ୍ୟ ଯେ ରାଜ୍ୟର ଜାତି ସମୀକରଣରେ ଲିଙ୍ଗାୟତ ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତି ଚାଲିଥିଲା। କୁହାଯାଉଥିଲା ଯେ ୟେଦୁରପ୍ପା ଏହି ପୋଷ୍ଟକୁ ଅନ୍ୟ ସମ୍ପ୍ରଦାୟକୁ ଦେବାକୁ ଆଗ୍ରହୀ ନ ଥିଲେ। ସେ ନିଜେ ଲିଙ୍ଗାୟତ ସମ୍ପ୍ରଦାୟର ଅଟନ୍ତି ଏବଂ ଏହି ସମାଜର ସବୁଠାରୁ ବଡ ଭୋଟ୍ ବ୍ୟାଙ୍କ ତାଙ୍କୁ ସମର୍ଥନ କରୁଥିଲା। ସୂଚନାନୁସାରେ, ୟେଦୁରୁପ୍ପାଙ୍କ ପୁଅ ୟ.ବି ବିଜୟେନ୍ଦ୍ରଙ୍କୁ ବିଜେପି ରାଜ୍ୟ ସଭାପତି କରାଯାଇପାରେ। ବିଜୟନ୍ଦ୍ର ବର୍ତ୍ତମାନ ଉପସଭାପତି ଅଛନ୍ତି।