ପଥର ଖାଦାନରୁ ଦୁଇ ଭାଇ ଭଉଣୀଙ୍କ ମୃତଦେହ ଓ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ବାପାଙ୍କ ଶବ ଉଦ୍ଧାର

ଝାରସୁଗୁଡା : ଝାରସୁଗୁଡା-ସୁନ୍ଦରଗଡ଼ ସୀମାନ୍ତ ନକାଡେରାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ | ଏକା ସାଙ୍ଗରେ ବାପା, ପୁଅ ଓ ଝିଅର ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଏବେ ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି | ଝାରସୁଗୁଡା-ସୁନ୍ଦରଗଡ଼ ସୀମାନ୍ତ ତଥା ଛତିଶଗଡ଼କୁ ଲାଗି ରହିଥିବା ନକାଡେରା ପାଖ ପଥର ଖାଦାନରେ ଦୁଇ ଭାଇ ଭଉଣୀଙ୍କ ମୃତଦେହ ମିଳିଥିବାବେଳେ ନିକଟସ୍ଥ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ବାପାଙ୍କ ଶବ ଉଦ୍ଧାର ହୋଇଛି ।

ମୃତକମାନେ ଛତିଶଗଡ ରୟଗଡ଼ ଜିଲ୍ଲା ଭୁୟାପାଲିର ୩୫ ବର୍ଷୀୟ ନରେଶ ଗୁପ୍ତା, ତାଙ୍କ ପୁଅ ୫ ବର୍ଷୀୟ ସୂର୍ଯ୍ୟ ଗୁପ୍ତା ଓ ତିନି ବର୍ଷର ଝିଅ ସିମି ଗୁପ୍ତା ବୋଲି ଜଣାପଡିଛି । ଗତ ରବିବାର ଉଭୟ ଶିଶୁଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଯାଉଛି କହି ଘରୁ ବାହାରିଥିଲେ ନରେଶ । ହେଲେ ସେମନେ ଘରକୁ ଫେରିନଥିଲେ ।

ଅନ୍ୟପଟେ ସେମନଙ୍କର ମୃତଦେହ ଠାବ ହେବାପରେ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ପୋଲିସ ଘଟଣାସ୍ଥଳକୁ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କୁ କିଏ ହତ୍ୟା କରିଛି ନା ଆଉ କିଛି କାରଣ ସେନେଇ କିଛି ଜଣାପଡ଼ିନଥିବା ବେଳେ, ତଦନ୍ତ ପରେ ଘଟଣା ସାମ୍ନାକୁ ଆସିବ |

Related Posts