୧୬ଫୁଟିଆ ଅଜଗରର ପେଟରୁ ବାହାରିଲା ନିଖୋଜ ଜଣେ ମହିଳାଙ୍କ ଶବ

ଜାକର୍ତା:ଇଣ୍ଡୋନେସିଆର ଜାମ୍ବି ପ୍ରଦେଶରେ ଗୋଟାଏ ୧୬ଫୁଟିଆ ଅଜଗରର ପେଟରୁ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକ ପ୍ରଥମେ ସାପ କୁ ମାରିବା ପରେ ତା ପେଟରୁ ମହିଳାଙ୍କ ଶବକୁ ଉଦ୍ଧାର କରିଛନ୍ତି । ଏନେଇ ମଙ୍ଗଳବାର ଦିନ ‘ଫକ୍ସ୍‌ ନିଉଜ୍‌’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଘର ନିକଟରେ ଥିବା ରବର ବାଗାନ୍‌ରୁ ରବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଜହରା ନାମ୍ନୀ ଜଣେ ୫୨ ବର୍ଷୀୟ ମହିଳା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଏ ସଂକ୍ରାନ୍ତରେ ଜରୁରୀ ସେବା ବିଭାଗକୁ ସୂଚନା ଦେବା ପରେ ତଲାସ ଆରମ୍ଭ ହୋଇଥିଲା।

ତଲାସକାରୀମାନେ ପେଟ ଫୁଲିଥିବା ଗୋଟାଏ ଅଜଗରର ସନ୍ଧାନ ପାଇଲେ, ଯାହାକୁ ମାରି ତା’ର ପେଟ ଚିରି ଗ୍ରାମବାସୀମାନେ ନିଖୋଜ ଜହରାଙ୍କର ଶବ ଉଦ୍ଧାର କରିଥିଲେ।

ଘଟଣା ସଂକ୍ରାନ୍ତରେ ଗାଁ ମୁଖିଆ ଆଣ୍ଟୋ କହିଛନ୍ତି, ସନ୍ଦେହ ହେବାରୁ ଗ୍ରାମବାସୀମାନେ ସାପଟିକୁ ମାରି ତା’ ପେଟରେ କ’ଣ ଅଛି ଜାଣିବାକୁ ତା’କୁ କାଟି ପକାଇଥିଲେ। ସାପ ପେଟରେ ନିଖୋଜ ମହିଳାଙ୍କୁ ଦେଖି ସଭିଏଁ ଚକିତ ହୋଇଯାଇଥିଲେ। କିନ୍ତୁ, ଜଣେ ୫୨ ବର୍ଷୀୟ ମହିଳାଙ୍କୁ ଗୋଟା ଗିଳି ପକାଇବା ଭଳି ଦାନବ କେହି ଦେଖି ନ ଥିଲେ।

ବେତାରା ଜାମ୍ବି ପୁଲିସ ମୁଖ୍ୟ ଏ.କେ.ପି. ଏସ୍‌. ହରେଫା ଗଣମାଧ୍ୟମକୁ କହିଛନ୍ତି ଯେ, ସାପ ପେଟରୁ ଉଦ୍ଧାର କରାଯାଇଥିବା ମହିଳାଙ୍କ ଶବ ପ୍ରାୟ ଅକ୍ଷତ ଥିଲା। ଉପରୋକ୍ତ ଘଟଣା ବିରଳ ଲାଗୁଥିଲେ ବି ଇଣ୍ଡୋନେସିଆରେ ମଣିଷଙ୍କୁ ସାପ ଗିଳି ପକାଇବା କଥା ନୂଆ ନୁହେଁ। ପୂର୍ବରୁ ଏମିତି ଅନେକ ଘଟଣା ଘଟିଥିବା ରିପୋର୍ଟ ସବୁ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି ।

Related Posts