ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଟିନଙ୍କୁ ମାନସିକ ରୋଗୀ ବୋଲି କହିଥିବା ମଡେଲଙ୍କ ମୃତଦେହ ଏକ ସୁଟକେଶରୁ ଜବତ ହୋଇଛି । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ସୋସିଆଲ ମିଡିଆରେ ପୁଟିନଙ୍କୁ ‘ମାନସିକ ରୋଗୀ’ ବୋଲି ଏକ ବର୍ଷ ପୂର୍ବରୁ ପୋଷ୍ଟ କରିଥିଲେ। ଏହାପରଠାରୁ ସେ ନିଖୋଜ ହୋଇଯାଇଥିଲେ। ତେବେ ମଡେଲଙ୍କ ପୂର୍ବତନ ପ୍ରେମିକ ତଥା ଅଭିଯୁକ୍ତ ୨୩ ବର୍ଷିୟ ଦିମିତ୍ରୀ କୋରୋଭିନ ମସ୍କୋରେ ଟଙ୍କା ବିବାଦକୁ ନେଇ ମଡେଲଙ୍କ ଗଳା କାଟି ହତ୍ୟା କରିଥିବା ସ୍ୱୀକାର କରିଛି। ତେବେ ମଡେଲଙ୍କ ରାଜନୈତିକ ଦୃଷ୍ଟିକୋଣ ଏବଂ ପୁଟିନଙ୍କ ସହ କୌଣସି ସମ୍ପର୍କ ନଥିବା ସୂଚନା ମିଳିଛି। ପଚରାଉଚରା ବେଳେ ଅଭିଯୁକ୍ତ କହିଛି ଯେ, ସେ ମଡେଲଙ୍କ ମୃତଦେହ ସହ ଏକ ହୋଟେଲ ରୁମରେ ୩ରାତି ଶୋଇଥିଲା।
ଆଉ ମୃତଦେହକୁ ସେ ଏକ ସୁଟକେସରେ ରଖିଥିଲା। ତା’ପରେ ସେ ତାଙ୍କ ମୃତଦେହକୁ ୩୦୦ ମାଇଲ ଦୂର ଲିପେଟସ୍କ ଅଞ୍ଚଳକୁ ନେଇଯାଇଥିଲା, ଯେଉଁଠାରେ ସେ ଏକ ବର୍ଷରୁ ଅଧିକ ସମୟ ଧରି କାରର ଡିକିରେ ରଖିଥିଲା। ଏହାପରେ ସେ ମଡେଲଙ୍କ ସୋସିଆଲ ମିଡିଆରେ ଫଟୋ ଏବଂ ବାର୍ତ୍ତା ପୋଷ୍ଟ କରିଥିଲା, ଯାହାଫଳରେ ମଡେଲଙ୍କ ବନ୍ଧୁମାନେ ବିଶ୍ୱାସ କରି ଯାଇଥିଲେ କି ଉକ୍ତ ରୁଷ ମଡେଲ ଜୀବିତ ଅଛନ୍ତି। କିଛିଦିନ ପରେ ମଡେଲଙ୍କ ଜଣେ ବନ୍ଧୁ ଇଭଗେନି ଫୋଷ୍ଟରଙ୍କୁ ସନ୍ଦେହ ହୋଇଥିଲା। ଏହା ପରେ ସେ ମସ୍କୋରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ଏହି ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରି ମଡେଲଙ୍କ ଶବ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲା।
