ମସ୍କୋ : ଋଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ତେବେ ଏହାରି ମଧ୍ୟରେ ରୁଷକୁ ସଫଳତା ମିଳିପାରିନାହିଁ । ଯାହାକୁ ନେଇ ଉତ୍କ୍ଷିପ୍ତ ହୋଇ ସେନାର ବିଫଳତା ପରେ ନିଜର ସେନାଧ୍ୟକ୍ଷଙ୍କୁ ବଦଳାଇଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

ଜେନେରାଲ ସର୍ଗଇ ସୁରୋଭିକିନ ୟୁକ୍ରେନରେ ନିୟୋଜିତ ରୁଷ ସେନାର ନୂଆ କମାଣ୍ଡର ନିଯୁକ୍ତ ହୋଇଛନ୍ତି । ଏ ସଂପର୍କରେ ରୁଷ ମିଲିଟାରି ପକ୍ଷରୁ ଘୋଷଣା କରାଯାଇଛି ।

ଫେବୃଆରୀ ୨୪ ରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ପ୍ରଥମ କିଛି ମାସ ମଧ୍ୟରେ ରୁଷ ସେନାର ଦ୍ରୁତ ଅଗ୍ରଗତି ପରେ , ଗତ କିଛି ମାସ ହେଲା ୟୁକ୍ରେନର ସେନାର ପ୍ରବଳ ଆକ୍ରମଣ ପରେ ରୁଷ ସେନା ପଛଘୁଞ୍ଚା ଦେବାରେ ଲାଗିଛି । କେତେକ ଅଧିକୃତ ଅଂଚଳକୁ ୟୁକ୍ରେନ ପୁଣି ଦଖଲ କରିନେଇଛି । ସେପ୍ଟେମ୍ବର ମାସରେ ଖାରକିବ ଅଞ୍ଚଳକୁ ପୁଣି ୟୁକ୍ରେନ ସେନା ଦଖଲ କରିନେଇଥିଲା ଓ ରୁଷ ସେନା ପଛଘୁଞ୍ଚା ଦେଇଥିଲେ । ପୁଣି ରୁଷ ସେନା ଖାରସେନ ଅଂଚଳ ଓ ଲିମାନ ଟ୍ରାନ୍ସପୋର୍ଟ ହବକୁ ବି ହରାଇଛି । ଏହି ବିଫଳତାକୁ ନେଇ ରୁଷ ସେନା କମାଣ୍ଡରମାନଙ୍କୁ ସମାଲୋଚନା କରାଯାଉଛି ।

୫୫ ବର୍ଷୀୟ ଜେନେରାଲ ସୁରୋଭିକିନ ସାଇବେରିଆରେ ଜନ୍ମଗ୍ରହଣ କରିଥିଲେ । ୧୯୯୦ ଦଶକରୁ ତାଙ୍କର ସାମରିକ ଅଭିଜ୍ଞତା ରହିଛି । ତାଜିକିସ୍ତାନ, ଚେଚେନ୍ୟା ଓ ନିକଟରେ ସିରିଆରେ ଯୁଦ୍ଧ ଲଢିବାରେ ତାଙ୍କର ଅଭିଜ୍ଞତା ରହିଛି । ଏହା ପୂର୍ବରୁ ୟୁକ୍ରେନର ଦକ୍ଷିଣରେ ନିୟୋଜିତ ରୁଷ ସେନାର କମାଣ୍ଡର ଥିଲେ ।