
ବାଲିପାଟଣା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହିଂସାକାଣ୍ଡ । ସାବତ ଭାଇ ଏବଂ ସାବତ ମାଆ ଆକ୍ରମଣରେ ଭାଇ ଗୁରୂତର ।
ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ସରାଟ ଗ୍ରାମରେ । ଆକ୍ରମଣକାରୀ ସାବତ ଭାଇ ଦେବେନ୍ଦ୍ର ବେହେରା ଏବଂ ସାବତ ମାଆଙ୍କୁ ବାଲିପାଟଣା ପୋଲିସ୍ ଗିରଫ କରିଛି ।
ସରାଟ ଗ୍ରାମର ସଂଜୟ ବେହେରା ଆଜି ସକାଳୁ ଖାଇବା ପରେ ହାତ ଧୋଉଥିଲେ । ଏହି ସମୟରେ ସଂଜୟଙ୍କର ସାବତ ଭାଇ ଦେବେନ୍ଦ୍ର ତାଙ୍କ ମୁଣ୍ଡକୁ କଟୁରୀରେ ହାଣି ଦେଇଥିଲା । ଏହା ସହ ସଂଜୟଙ୍କର ସାବତ ମାଆ ମଧ୍ୟ କୌଣସି ଏକ ଅସ୍ତ୍ରରେ ସଂଜୟଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂଜୟ ଲହୁଲୁହାଣ ହୋଇପଡ଼ିଥିଲେ ।
ସଂଗେ ସଂଗେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସଂଜୟଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି ।
ସେପଟେ ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୁଇ ଜନଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ, ପୂର୍ବରୁ ଉଭୟଙ୍କ ମଧ୍ୟରେ ଜମିଜମା କୁ ନେଇ ବିବାଦ ଲାଗି ଆସୁଥିଲା ।