ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ ଉପରେ ଲାଗିଲା ରୋକ । ଗତକାଲି (ବୁଧବାର) ସୁପ୍ରିମକୋର୍ଟ ଆଇନ ଉପରେ ଅଙ୍କୁଶ ଲଗାଇଛନ୍ତି । ଭାରତୀୟ ଦଣ୍ଡ ବିଧାନ ସଂହିତାର (IPC) ଦଫା 124Aର ଦୁରୁପଯୋଗ ହେଉଛି । 126 ବର୍ଷ ପୁରୁଣା ଆଇନରେ ପୁନଃ ସମୀକ୍ଷା ନ ହେବା ଯାଏଁ ଏହି ପ୍ରସଙ୍ଗରେ ନୂଆ ମାମଲା ରୁଜ୍ଜୁ ହୋଇ ପାରିବ ନାହିଁ ବୋଲି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ।

ତେବେ ସୁପ୍ରିମକୋ୍ଟଙ୍କ ଏହି ନିଷ୍ପତ୍ତି କୁ ନେଇ ଖୁସିବ୍ୟକ୍ତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏ ନେଇ ଟ୍ବିଟ କରି ରାହୁଲ କହିଛନ୍ତି, “ସତ କହିବା ଦେଶଭକ୍ତି, ଆଉ ସତ ଶୁଣିବା ରାଜଧର୍ମ ଏବଂ ସତକୁ ଗ୍ରହଣ ନକରିବା ଅହଂକାର ।”

ସେ ଆହୁରି କହିଛନ୍ତି, “ଲୋକଙ୍କୁ ଭୟଭୀତ ହେବାର କିଛି କାରଣ ନାହିଁ । ସତ୍ୟର ସ୍ବରକୁ ଚପାଇବା ଅସମ୍ଭବ । ଏପରି କରିବାକୁ ଉଦ୍ୟମ କରୁଥିବା ଲୋକଙ୍କ ପାଇଁ ଏହ ଏକ ସ୍ପଷ୍ଟ ସନ୍ଦେଶ ।” ସମାଲୋଚକଙ୍କ କଥା ସରକାର ଶୁଣିବା ଜରୁରୀ ବୋଲି ଟ୍ବିଟ କରି କହିଛନ୍ତି ରାହୁଲ । ରାହୁଲ ଏହି ବୟାନରେ କାହା ନାମ ନ ନେଇ ସିଧାସଳଖ କେନ୍ଦ୍ର ସରକାରଙ୍କୁ ନିଶାନା ବନାଇ କହିଛନ୍ତି । ରାହୁଲଙ୍କ ବୟାନ ପରେ ବର୍ଷିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ।

ପୁରୁଣା ଦଳ କଂଗ୍ରେସକୁ ଟାର୍ଗେଟ କରିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । ସେ କହିଥିଲେ, “ରାହୁଲ ଗାନ୍ଧୀ ଫମ୍ପା ଶଦ୍ଦ ବ୍ୟବହାର କରୁଛନ୍ତି । ଯଦି ଆମେ ଏକ ଦଳ କଥା କହିବା ଯିଏକି ସ୍ବାଧୀନତା, ଗଣତନ୍ତ୍ର ଏବଂ ଅନୁଷ୍ଠାନ ପ୍ରତି ସମ୍ମାନର ବିରୋଧୀ, ତେବେ ସେ ହେଉଛି ଭାରତୀୟ ଜାତୀୟ କଂଗ୍ରେସ ।” ଏହି ଦଳ ସର୍ବଦା ଭାରତକୁ ବିଭାଜନ କରିବାର କୌଣସି ସୁଯୋଗ ଛାଡି ନାହିଁ ବୋଲି କହି ରାହୁଲଙ୍କ ଉପରେ ବର୍ଷିଥିଲେ କେନ୍ଦ୍ର ଆଇନମନ୍ତ୍ରୀ।