୭୪ ବର୍ଷରେ ପାଦ ଥାପିଲା ରାଜଧାନୀ: ପାଳୁଛି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ୭୩ ବର୍ଷ ପୁରୀ ୭୪ ବର୍ଷରେ ପାଦ ଥାପିଲେ ରାଜଧାନୀ ଭୁବନେଶ୍ୱର | ଏନେଇ ଆଜି ବେଶ ଧୁମ ଧାମ ରେ ପ୍ରତିଷ୍ଠା ଦିବସ ପାଳନ କରୁଛି ଭୁବନେଶ୍ୱର | ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି ଏହି ୭୪ ବର୍ଷ ମଧ୍ୟରେ ।

ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର ଏବେ ଅତ୍ୟାଧୁନିକ । ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ । ରୋଜଗାର ପାଇଁ ବି ଅନେକ ଲୋକଙ୍କ ପ୍ରଥମ ଚଏସ ପାଲଟିଛି ଭୁବନେଶ୍ୱର। ବହୁ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇଛି ରାଜଧାନୀ।

ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି । ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।

ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ । ଦେଶ ସ୍ୱାଧୀନ ହେବାର ପରବର୍ଷ, ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା । ଆଧୁନିକ ସହରର ଶୈଳୀ ଜର୍ମାନୀର ଓଟୋ କୋନିସବର୍ଗରଙ୍କଦ୍ୱାରା ନିର୍ମିତ । ସେ ଜାମସେଦପୁର ଓ ଚଣ୍ଡୀଗଡ଼ ସହରର ନିର୍ମାଣ ଶୈଳୀ ମଧ୍ୟ କରିଥିଲେ । ଭୁବନେଶ୍ୱର ଏବଂ କଟକ ଏକାସାଙ୍ଗେ ଓଡ଼ିଶାର ଟ୍ୱିନ ସିଟି ବା ଦୈତ ସ‌ହ‌ର ଭାବେ ଜଣାଶୁଣା । ଏହି ସହର ୨୦୧୧ ଅନୁସାରେ ମୋଟ ୧୦.୪୦ ଲକ୍ଷ ଲୋକଙ୍କୁ ନେଇ ଗଠିତ ।

ଜର୍ମାନ ଆର୍କିଟେକ ଓଟୋ କନିଙ୍ଗ୍ସବର୍ଜରଙ୍କ ପରିକଳ୍ପିତ ଏହି ସହର ହେଉଛି ଭାରତର ପ୍ରଥମ ପରିକଳ୍ପିତ ସହର । ଜାମସେଦପୁର ଏବଂ ଚଣ୍ଡୀଗଡ଼ ସହର ମଧ୍ୟ ଏହି ଢାଞ୍ଚାରେ ନିର୍ମିତ ହୋଇଛି । ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Related Posts