୩ ଦେଶର ଅଣ ମୁସଲିମ ଲୋକଙ୍କୁ ନାଗରିକତା ପ୍ରଦାନ ପାଇଁ ୧୩ ଜିଲ୍ଲାର ଅଧିକାରୀଙ୍କୁ କ୍ଷମତା ପ୍ରଦାନ କଲା କେନ୍ଦ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଅଧିନିୟମ (CAA) 2019 ଅନୁଯାୟୀ ଏପର୍ଯ୍ୟନ୍ତ ନିୟମ ପ୍ରସ୍ତୁତ କରିନାହାଁନ୍ତି । ତେବେ  ଏହା ମଧ୍ୟରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ଅନୁରୋଧକୁ ଅନୁମୋଦନ କରିବାକୁ ସରକାର ଏକ ଗ୍ୟାଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି।  ଏହି ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ନିୟମ ମୁତାବକ ନାଗରିକତ୍ୱ ଦିଆଯିବ । ଏବଂ ଅନୁରୋଧ ଯାଞ୍ଚ ଏବଂ ଅନୁମୋଦନ କରିବାର କ୍ଷମତା କର୍ତ୍ତୃପକ୍ଷଙ୍କ ହାତରେ ରହିବ । ଗେଜେଟ୍ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଗୁଜୁରାଟ, ଛତିଶଗଡ, ରାଜସ୍ଥାନ, ହରିୟାଣା ଏବଂ ପଞ୍ଜାବର ୧୩ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏହି କ୍ଷମତା ଦିଆଯାଇଛି। ବିଜ୍ଞପ୍ତିରେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଧର୍ମର ଲୋକଙ୍କୁ ନାଗରିକତ୍ବ ଅନୁରୋଧ କରିବା ପାଇଁ ଅନୁମତି ଦିଆଯାଇଛି।  ନାଗରିକତା ପାଇଁ ଅନଲାଇନରେ ଆବେଦନପତ୍ର ଦାଖଲ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଇଣ୍ଡିଆନ୍ ଏକ୍ସପ୍ରେସ୍ ଖବର ଅନୁଯାୟୀ ନାଗରିକତ୍ୱ ଅଧିନିୟମ 1955 ଏବଂ ନାଗରିକତ୍ୱ ନିୟମ 2009 ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ବିଜ୍ଞପ୍ତିରେ ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି – ଗୁଜୁରାଟର ମୋର୍ବି, ରାଜକୋଟ, ପାଟନ ଏବଂ ବଡୋଦରା । ସେହିପରି ଛତିଶଗଡର ଦୁର୍ଗ ଏବଂ ବଲୋଦବାଜର୍ । ରାଜସ୍ଥାନର ଜାଲୋର, ଉଦୟପୁର, ପାଲି, ବାରମର୍ ଏବଂ ସିରୋହି । ହରିୟାଣାର ଫରିଦାବାଦ ଏବଂ ପଞ୍ଜାବର ଜଲନ୍ଦର। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଆବେଦନ ପତ୍ରର ଯାଞ୍ଚ୍ କଲେକ୍ଟର କିମ୍ବା ଗୃହ ସଚିବ କରିବେ। ଏବଂ ଅନଲାଇନ୍ ପୋର୍ଟାଲରେ କେନ୍ଦ୍ର ସରକାରଙ୍କୁ ଜଣାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ୨୦୧୮ରେ କେନ୍ଦ୍ର ସରକାର ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର କଲେକ୍ଟର ତଥା ଗୃହ ସଚିବମାନଙ୍କୁ ସମାନ କ୍ଷମତା ପ୍ରଦାନ କରିଥିଲେ।

Related Posts