# ମୋ ସରକାର କୁ ପ୍ରଶ୍ନ – “ମୁଁ ୯ ମାସ ଗର୍ଭବତୀ ୩ ଘଣ୍ଟା ଅଖିଆ ପଡ଼ି ରହିପାରିବି, କିନ୍ତୁ ଜିଲ୍ଲାପାଳଙ୍କ ଗର୍ଭବତୀ ପତ୍ନୀ ନ ଆସିବା ଯାଏଁ ଡ଼ାକ୍ତର ଆମକୁ ଦେଖିଵେ ନାହିଁ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶା ସରକାରଙ୍କ ମାତୃଜ୍ୟୋତି ଯୋଜନା ଓ ମାତୃ ଗୃହ ପରିଚାଳନାରେ ପାତର ଅନ୍ତର ହେଉଥିବା ନେଇ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ବଡ ବଡ ଅଧୀକାରୀଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ଭିଆଇପି ସୁବିଧା ମିଳୁଥିବା ବେଳେ ସାଧାରଣ ରୋଗୀଙ୍କୁ ଅଖିଆ ଅପିଆ ରହି ହସ୍ପିଟାଲ ବାରଣ୍ଡାରେ ଅପେକ୍ଷା କରିବାକୁ ପଡୁଛି। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। ଜଣେ ୯ ମାସର ଗର୍ଭବତୀ ମହିଳା ଦୀପଞ୍ଜଳି ପତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ଓଡିଶା ସରକାରଙ୍କ ମାତୃଜ୍ୟୋତି ଯୋଜନାରେ ଆଜି ସକାଳ ପ୍ରାୟ ୯ଟା ବେଳେ ଦୀପଞ୍ଜଳିଙ୍କ ସମେତ ୧୩ ଜଣ ଗର୍ଭବତୀ ମହିଳାଙ୍କୁ ସୁନ୍ଦରଗଡ଼ ମାତୃ ଓ ଶିଶୁ ହସ୍ପିଟାଲକୁ ଅଲଟ୍ରାସାଉଣ୍ଡ ପାଇଁ ଅଣା ଯାଇଥିଲା । ଦିନ ୯ଟାରୁ ୧୧ ଟା ଯାଏ ଆଖିଆ ଅପିଆ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ ମଧ୍ୟ ଡାକ୍ତରଙ୍କ ଦେଖା ମିଳିନଥିଲା। ପରେ ଜଣାପଡିଥିଲା ଯେ କୋଭିଡ୍ ହେତୁ ଅନ୍ୟ କୌଣସି ରୋଗୀଙ୍କୁ ଦେଖାଯିବ ନାହିଁ କେବଳ ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଅଲଟ୍ରାସାଉଣ୍ଡ କରାଯିବାର ଥିଲା। ତେଣୁ ସମସ୍ତଙ୍କୁ ଜିଲ୍ଲାପାଳଙ୍କ ପତ୍ନୀ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା। ଯେତେବେଳେ ଜିଲ୍ଲାପାଳଙ୍କ ସ୍ତ୍ରୀ ଅଲଟ୍ରାସାଉଣ୍ଡ କରିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ  ସେତିକିବେଳେ ସିଡିଏମଓଙ୍କ ସହିତ ସମସ୍ତ ଡାକ୍ତର, ଷ୍ଟାଫ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଆସି ହଜାର ହେଇଗଲେ । ଏବଂ ତୁରନ୍ତ ଜିଲ୍ଲାପାଳଙ୍କ ପତ୍ନୀଙ୍କ ଅଲଟ୍ରାସାଉଣ୍ଡ ହୋଇଗଲା ଓ ସେ ସେଠାରୁ ଚାଲିଗଲେ । ତେବେ ଏହି ସମୟରେ ସେଠାରେ ଅଲଟ୍ରାସାଉଣ୍ଡ ପାଇଁ ସକାଳ ୯ଟା ରୁ ଅପେକ୍ଷା କରିଥିବା ଜଣେ ୯ ମାସର ଗର୍ଭବତୀ ମହିଳା ଦୀପଞ୍ଜଳି ପତି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, ” ମୋ ନାଁ ଦୀପାଞ୍ଜଳି ପତି, ମୁଁ ସୁନ୍ଦରଗଡ଼ ଖମାରୀପଡ଼ାର ବାସିନ୍ଦା। ଆଜି ମୋ ୯ ମାସର ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ଆସିଥିଲି।  ମୋ ପରି ଆହୁରି ୧୨ ଜଣ ଗର୍ଭବତୀ ଥିଲେ। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଅଖିଆ ଅପିଆ ବସିଲୁ, କିନ୍ତୁ ସେତେବେଳ ପର୍ଯ୍ୟନ୍ତ ଡାକ୍ତରଙ୍କ ଦେଖା ମିଳି ନଥିଲା। କିନ୍ତୁ ଯେତେବେଳେ ଜିଲ୍ଲାପାଳଙ୍କ ପତ୍ନୀ ଆସିଲେ ସଙ୍ଗେ ସଙ୍ଗେ ଡାକ୍ତର ଆସିଗଲେ ଏବଂ ଅଧ ଘଣ୍ଟା ତାଙ୍କୁ ଅଲଟ୍ରାସାଉଣ୍ଡ କରାଗଲା। ଖାଲି ପେଟରେ ଆମେ ଅଢ଼େଇ  ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କଲୁ , ଜିଲ୍ଲାପାଳଙ୍କ ପତ୍ନୀ ଯିବା ପରେ ଆମକୁ ଅଲଟ୍ରାସାଉଣ୍ଡ ପରୀକ୍ଷା କରିଲୁ। ଏମିତିରେ ସରକାରଙ୍କ ମାତୃଜ୍ୟୋତି, ମାତୃଗୃହର ମୂଲ୍ୟ କ’ଣ। ଜିଲ୍ଲାପାଳଙ୍କୁ ଅନୁରୋଧ ସ୍ପେସିଆଲ୍ ଟ୍ରିଟମେଣ୍ଟ ପାଇଁ ଆପଣ ମ୍ୟାଡମଙ୍କୁ ପ୍ରାଇଭେଟ୍ ଡାକ୍ତରଖାନା ବା କ୍ଲିନିକ୍ କୁ ନିଅନ୍ତୁ, ଏମିତିରେ ମା’ମାନେ ବହୁତ ହଇରାଣ ହେଉଛୁ।”

ତେବେ ୯ ମାସର ଗର୍ଭବତୀ ମହିଳାଙ୍କର ଏହି ଭିଡିଓ ବାର୍ତ୍ତାଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ଘଟଣାଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ସ୍ଥିତ ମା’ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ମାଗଣା ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଏ। ଏଥିପାଇଁ ସହରର ମହିଳାମାନେ ସେଠାକୁ ଆସିଥାନ୍ତି। ଆଜି  ୧୨ ଜଣ ମହିଳା ସକାଳ ୯ଟାରୁ ଆସି ଅପେକ୍ଷା କରିଥିଲେ। କିନ୍ତୁ ଡାକ୍ତର ଆସିନଥିବା ହେତୁ ସେଠାରେ ଅପେକ୍ଷା କରିଥିଲେ । କିନ୍ତୁ ଠିକ୍ ୧୧ଟା ବେଳକୁ ଜିଲ୍ଲାପାଳଙ୍କ ସରକାରୀ ଗାଡ଼ିରେ ତାଙ୍କ ପତ୍ନୀ ପହଞ୍ଚିଲେ। ୨ ଘଣ୍ଟା ପର୍ଯ୍ୟନ୍ତ ଦେଖା ମିଳୁନଥିବା ଡାକ୍ତର ତୁରନ୍ତ ହାଜର ହୋଇଗଲେ।  ଜିଲ୍ଲାପାଳଙ୍କ ପତ୍ନୀଙ୍କ ଅଲଟ୍ରାସାଉଣ୍ଡ ପରୀକ୍ଷା ଅଧ ଘଣ୍ଟା ଧରି ଚାଲିଲା। ୧୧ଟା ୪୦ରେ ସେ ପରୀକ୍ଷା କରି ଚାଲିଗଲେ । ଏହା ପରେ ୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଥିବା ମହିଳାମାନଙ୍କୁ ଡାକରା ପଡ଼ିଲା କିନ୍ତୁ ଜଣେ ମହିଳାଙ୍କୁ ମାତ୍ର  ୫ ମିନିଟ୍ ରେ ପରୀକ୍ଷା କରି ଛାଡି ଦିଆଗଲା । ଯାହାକୁ  ନେଇ ମହିଳାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଅନେକ ଲୋକ କହୁଛନ୍ତି ‘ଜିଲ୍ଲାପାଳଙ୍କ ପତ୍ନୀ ସରକାରୀ ଡାକ୍ତରଖାନାରେ ପରୀକ୍ଷା କରାଇବା ଭଲ କଥା, କିନ୍ତୁ ସେ ଯଦି ଅପେକ୍ଷାରତ ମହିଳାଙ୍କ ଧାଡ଼ିରେ ଠିଆ ହୋଇ ପରୀକ୍ଷା କରାଇଥାନ୍ତେ, ତେବେ ସମାଜକୁ ଭଲ ବାର୍ତ୍ତାଟେ ଯାଇଥାନ୍ତା’।

https://www.facebook.com/161931587230599/posts/4046443655446020/

Related Posts