କରୋନା କଟକଣା ହଟାଇବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଅତିରିକ୍ତ କଟକଣାକୁ ହଟାଇବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି। ଗତ ସପ୍ତାହ ଠାରୁ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତେଣୁ ଏବେ ଆଉ ଅତିରିକ୍ତ କଟକଣାର ଆବଶ୍ୟକତା ନଥିବା କେନ୍ଦ୍ର ସରକାର କହିଛନ୍ତି। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି କହିଛନ୍ତି ଯେ ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରନ୍ତୁ କିମ୍ବା ଅତରିକ୍ତ କୋଭିଡ କଟକଣା-୧୯ କଟକଣା ପ୍ରତ୍ୟାହାର କରନ୍ତୁ। ଏବେ ସମଗ୍ର ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଛି। ତେଣୁ ରାଜ୍ୟ ଗୁଡ଼ିକ ତଦ୍ନୁଯାୟୀ ପଦକ୍ଷେପ ନିଅନ୍ତୁ। ୨୦୨୨ ଜାନୁଆରୀ ୨୧ ପରଠାରୁ ଦେଶରେ ନିୟମିତ ଭାବେ ସଂକ୍ରମଣ ହ୍ରାସ ପାଉଛି। ଗତ ସପ୍ତାହରେ କରୋନାର ଦୈନିକ ସଂକ୍ରମଣ ହାର ୫୦,୪୭୬ ଥିଲା।

ହେଲେ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ୨୭,୪୦୯ ରହିଛି। ଫେବୃଆରୀ ୧୫ରେ ଦୈନିକ ପଜିଟିଭିଟି ରେଟ୍ ୩.୩୬%କୁ ଖସି ଆସିଛି। ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାରମାନେ ଲୋକଙ୍କ ଯାତାୟାତ ଓ ଆର୍ଥିକ କାରବାରକୁ କ୍ଷତି ପହଞ୍ଚାଉଥିବା ଭଳି ଅତିରିକ୍ତ କଟକଣା ଲାଗୁ କରିବା ଉଚିତ ନୁହେଁ। ଯଦି କୌଣସି କଟକଣା ଲାଗୁ ହୋଇଛି, ତା’ହେଲେ ଏଗୁଡ଼ିକ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରି ନିଅନ୍ତୁ। ତେବେ ଚିଠିରେ ରାଜ୍ୟଗୁଡ଼ିକୁ ଦୈନିକ ସଂକ୍ରମଣର ସମୀକ୍ଷା ପୂର୍ବଭଳି କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସ୍ୱାସ୍ଥ୍ୟ ସଚିବ ସଂକ୍ରମଣ ରୋକିବାକୁ ଜାରି ୫ ସୂତ୍ରୀ ନିୟମ ପାଳନ କରିବାକୁ କହିଛନ୍ତି। ସେଗୁଡ଼ିକ ହେଲା ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର।

Related Posts